Unknown

 

 

 

 

 

 

 

 

 

 

 

ହେ ଡାକ୍ତର କୋରାମିନ୍‍ ବନ୍ଦକର

ଶ୍ରୀ ମୁରାରିମୋହନ ଜେନା

 

ଡାକ୍ତର ସୁଧାକର ଆଚାର୍ଯ୍ୟ

ଡାକ୍ତର ରାଧାଶ୍ୟାମ କର

ଡାକ୍ତର ସନ୍ତୋଷ କୁମାର ଗିରି

ଡାକ୍ତର ଅମୃତ ରାଓ

ଡାକ୍ତର ବସନ୍ତ କୁମାର ମହାପାତ୍ର

ଡାକ୍ତର ଗଗନ ଚନ୍ଦ୍ର ମିଶ୍ର

ଡାକ୍ତର ବୈଷ୍ଣବ ଚରଣ ମହାପାତ୍ର

ଡାକ୍ତର ଜେନାମଣି ନରେନ୍ଦ୍ର କୁମାର

 

ଆପଣମାନେ ସ୍ଵ ସ୍ଵ ବିଭାଗୀୟ ବୃତ୍ତିରେ

ଯଶସ୍ଵୀ……

ଆପଣମାନେ ମୋ ଦେଶ ଓ ଜାତିର

ଗୌରବ..… !!!

ମୁଁ କେବଳ ଜାତିର ସାମାଜିକ

ତଥା ସାଂସ୍କୃତିକ ପରିବେଷ୍ଟନୀରେ

କୋରାମିନ୍ ବନ୍ଦ କରିବାର

ବଜ୍ର ନିର୍ଘୋଷ ଦେଲି..…

ଏତିକି ଘେନା ହେଲେ

ଏ ଜେନା ଚିରକାଳ କୃତଜ୍ଞ ରହିବ..… !!!

 

ଆପଣଙ୍କର ପରିଚିତ

ମୁରାରିମୋହନ ଜେନା…

Image

 

ଓଡ଼ିଆ କବିତାର

ଆଳାପ-ଆଲୋଚନାରେ,

ଏ କବିତା ଗୁଡ଼ିକର

ମର୍ମବାଣୀ ଯେ ମର୍ମସ୍ପର୍ଶୀ ହେବ…..

 

ଅନ୍ତତଃ ଏତିକି…

ଦୃଢ଼ ଆଶା ଓ ବିଶ୍ଵାସ

ମୋର ରହିଛି….. !!!

 

–ଜେନା କବି

Image

 

ହେ ଡାକ୍ତର… !!! କୋରାମିନ୍ ବନ୍ଦକର… !!!

 

॥ ଏକ ॥

ହେ ଡାକ୍ତର….. !

କୋରାମିନ୍ ଦିଅ ନାହିଁ ମୋତେ

ମୁଁ ଚାହୁଁନି ବଞ୍ଚିବାକୁ

ଆଜି ଏଇ ସୃଷ୍ଟିର.ସୈକତେ….. !!!

॥ ଦୁଇ ॥

ଶୁଣ ଶୁଣ ପ୍ରିୟବଂଧୁ

ଶିଶୁ ରୋଗ ବିଶେଷଜ୍ଞ

ରାଧାଶ୍ୟାମ କର..…

ଏ ଦେଶରେ ଖାଇ ପିଇ

ବଞ୍ଚି ରହିବାର..…

ନାହିଁ ଯା’ର ତିଳେ ଅଧିକାର…..

ତୁମେ କୁହ କୁହ ହେ ଡାକ୍ତର..… !!!

ମରିବାଟା ତା’ର ପକ୍ଷେ

ଏ ସମାଜେ…..

ନୁହେଁ କିବା ଆଜି ଶ୍ରେୟସ୍କର….. ??

॥ ତିନି ॥

ମୁଁ ଚାହୁଁନି ବଞ୍ଚିବାକୁ…..

କୁଷ୍ଠକ୍ଷୟ ଏ ସମାଜେ,

ଯେଉଁଠାରେ ଆଇନ୍‍ଟା

ବେଆଇନ୍ ହୁଏ..…

ମୁଁ ଚାହୁଁନି ବଞ୍ଚିବାକୁ

ଏ ଦୁର୍ନୀତି ସମାଜର…..

ମଣିଷର ମେଳେ,

ଭରିବାକୁ ଦୁଇ ଆଖି

ଦିନ-ରାତି…..

କଇଁ କଇଁ କାନ୍ଦଣାର ଲୁହେ….. !!!

॥ ଚାରି ॥

ମୁଁ ଚାହୁଁନି ବଞ୍ଚିବାକୁ

ନ୍ୟାୟର ବଳଦ ପିଠି…..

ଅନ୍ୟାୟର ପାଞ୍ଚଣରେ

ଯେଉଁଠାରେ ଫାଟିଯାଏ ଖାଲି…..

ମୁଁ ଚାହୁଁନି ବଞ୍ଚିବାକୁ

ଏ ମଣିଷ ଖାଦ୍ୟ ପଦାର୍ଥରେ

ଯେଉଁଠାରେ ମିଶା ଯାଏ…..

ଅଧା ଗୋଡ଼ିବାଲି….. !

॥ ପାଞ୍ଚ ॥

ମୁଁ ଚାହୁଁନି ବଞ୍ଚିବାକୁ,

ଯେଉଁଠାରେ ରାଜନୀତି ଦଳାଦଳି…..

ପରସ୍ପର ମଧ୍ୟେ ପିଟାପିଟି

ମୁଁ ଚାହୁଁନି ବଞ୍ଚିବାକୁ

ଯେଉଁଠାରେ ସାହିତ୍ୟରେ

ଠେଙ୍ଗାବାଡ଼ି…..

ନିର୍ବିବାଦେ ନିର୍ବିଚାରେ,

ହୁଏ ଉଠାଉଠି…..

॥ ଛଅ ॥

ମୁଁ ଚାହୁଁନି ବଞ୍ଚିବାକୁ

ଯେଉଁଠାରେ ଜନ-ସେବା

ତୁଚ୍ଛା ମଦଭାଟି……

ମୁଁ ଚାହୁଁନି ବଞ୍ଚିବାକୁ

ଯେଉଁଠାରେ ସତ୍ୟ କଥା

କହିଲେ ବି……

ମାଡ଼ ହୁଏ ଲାଠି…..

॥ ସାତ ॥

ମୁଁ ଚାହୁଁନି ବଞ୍ଚିବାକୁ

ଯେଉଁଠାରେ ପ୍ରେମଟା ତ…..

ଛୁଞ୍ଚି ଫୋଡ଼ା ଫୋଡ଼ି…..

ମୁଁ ଚାହୁଁନି ବଞ୍ଚିବାକୁ

ଯେଉଁଠାରେ…..

ହେଁସ ମୁତୁରୀର ଦଳ

ହୁଏ ଯୋଡ଼ା-ଯୋଡ଼ି……

॥ ଆଠ ॥

ଯେ ସମାଜେ,

ଲାଞ୍ଚ ମିଛ…..

ଜୁଆଚୋରୀ

ପ୍ରବଳୁଁ ପ୍ରବଳତର

ମିଥ୍ୟାଟାର,

ଜୟଜୟ କାର

ଚାରିଆଡ଼େ ମାରିପିଟି

ଖାଇଯାଅ, ନେଇଯାଅ

ଖାଲି ନେ..… ନେ..…

ସେ ସମାଜେ

ସତ୍ୟର ପୂଜାରୀ ଏକ,

ସତ୍ୟର ସାଧକ.....

ପରିତ୍ୟକ୍ତ ହୋଇଗଲା

ସୁବିମଳ ଦେ…..

॥ ନଅ ॥

ତେଣୁ କହେ,

ହେ ଡାକ୍ତର…..

କୋରାମିନ୍ ବନ୍ଦକର

ବଞ୍ଚିବାର ମୋହ ନାହିଁ

 

ମମତା ବି ନାହିଁ…..

ଲିଭିଯାଉ ଅବିଳମ୍ଵେ,

ଏ ଜୀବନ ଦୀପ…..

ମରଣର ଶେଷ ସ୍ଵାଗତରେ,

ଚାଲିଯାଏ ମୁହିଁ ଆଜି

ମରଣ ସମୀପ ।

Image

 

ମୋ ଜୀବନ କାବ୍ୟ… !!!

 

॥ ଏକ ॥

ଏ ସଂସାର ନଦୀରେ

ବନ୍ୟାର ଜୁଆର..…

ଦି’କୁଳ ଖାଉଚି

ବନ୍ୟାର ତୋଡ଼ରେ..…

ସାପ ମୁଣ୍ତ ଦି’ଖଣ୍ତ ବି ହୋଇ ଯାଉଚି..… !!!

॥ ଦୁଇ ॥

ମୁଁ, ମୋର ସ୍ତ୍ରୀ, ବାପ ମା

ଭାଇ-ଭଉଣୀ…..

ସବୁ ଛୁଆ ପିଲା,

ଶେଷରେ ଯେତେ ଯେଉଁଠି

ନାହି କଟା-କଟି..…

ରକ୍ତ ଛଟା-ଛଟି

ଶବ ଉଠାଉଠିର,

ବଂଧୁବାନ୍ଧବମାନେ ଅଛନ୍ତି

ସମସ୍ତେ ଭାସିଲୁ

ସମସ୍ତେ ମାତିଲୁ….. !!!

॥ ତିନି ॥

ସମସ୍ତେ ସଂସାର

ସୁଅରେ ଭାସି ଭାସି..…

ବନ୍ୟା ଜୁଆରରେ ଆସି ଆସି……

କାଠ-କୁଟା କାମୁଡ଼ି

ଯେ’ ଯାହାର କୂଳ-କିନାରା ଧରି

ରହିଗଲେ..… !!!

॥ ଚାରି ॥

ମୁଁ କିନ୍ତୁ ସେଇ ଜୁଆରରେ

ବନ୍ୟାର ଜୁଆରରେ…..

ଭଉଁରୀରେ ଭୁଆଁ ବୁଲୁଚି

ମୋର କୂଳ କିନାରା ନାଇଁ

ମୁଁ ଲକ୍ଷ୍ମୀଛଡ଼ା……

ହତଭାଗା….. !!!

ଆଉ କିଛି ସମୟ ପରେ

ଡୁବି ଯିବି..…

ଗୋଟିଏ ପ୍ରାଣର ବିନିମୟରେ,

ଯଦି ଅନ୍ୟମାନଙ୍କର ମଙ୍ଗଳ ହେଲା

ସୁଖ ହେଲା……

ସେଥିରେ ମୋର ଆନନ୍ଦ

ତୃପ୍ତି…..

ପରମ ତୃପ୍ତି..… !!!

Image

 

ଶୁଣ ବିଦୁଲତା… !!!

 

॥ ଏକ ॥

ଶୁଣ ବିଦୁଲତା

ଏ ମୋର ହୃଦୟବାଣୀ

ହୃଦୟର କଥା…..

ମୁଁ ଚାହୁଁନି କୋଠାବାଡ଼ି,

ମୁଁ ଚାହୁଁନି ଫିଏଟ ଅବା

ଆମ୍ଵାସାଡ଼ାର ଗାଡ଼ି…..

ମୁଁ ଚାହୁଁନି ଧନରତ୍ନ

ମୁଁ ଚାହୁଁନି ବ୍ୟାଙ୍କର ବାଲାନ୍‍ସ

ମୁଁ ଚାହୁଁନି ବଲଡାନ୍‍ସ

ମୁଁ ଚାହୁଁନି ପାଶ୍ ବୁକ୍

କିଛି ଆଡ଼ଭାନ୍‍ସ….. !!!

॥ ଦୁଇ ॥

ମୁଁ ଚାହୁଁଚି

ଗୋଟେ କଥା,

ଟିକେ ମଣିଷତା..…

ମଣିଷକୁ ମଣିଷର ବ୍ୟବହାର ଦେବା…..

ସ୍ନେହ ଆଉ ମମତାରେ,

ଏ ଜୀବନ ଆଉଜେଇ ନେବା….. !!!

॥ ତିନି ॥

ପୁଣି,

ଏ ମଣିଷ ଦୁର୍ଦ୍ଦିନର ବେଳେ

ଥୋଡ଼ାଏ ସହାନୁଭୂତି,

ପଦେ ଆଶ୍ଵାସନା,

ତା’ ହେଲେ ସମାପ୍ତ ହେବ

ଜୀବନର ସବୁ ସ୍ଵପ୍ନ

ଜୀବନର ସାର୍ଥକ ଓ ସମସ୍ତ

କାମନା..… !!!

Image

 

ଫକୀର ଓ ଅମୀର… !!!

 

॥ ଏକ ॥

ତୁମରି ନାମର ସାର୍ଥକତାରେ,

ତୁମେ ସାରା ଜୀବନ

ଫକୀର ରହି..… !!

ଏ ସାହିତ୍ୟକୁ

ଅମୀର କରିଗଲ..… !!!

॥ ଦୁଇ ॥

ଆମରି ତଥାକଥିତ,

ଏ ସାହିତ୍ୟର ଫୁଲ୍‍କାରେ..…

ତୁମେ ପହିଲା ନମ୍ଵର,

ଖେଳୱାଡ଼ ସାଜି..… !!

ତୁମରି ସୃଷ୍ଟ..…

ଗଳ୍ପ ଉପନ୍ୟାସରେ,

ଯେଉଁ କୁସ୍ତି କସରତର

ଆଦବ୍ କାଇଦା,

ଦେଖାଇଗଲ..…

ତାହା ଏଠାରେ

ତୁମ ଜୀବଦ୍ଦଶାରେ..…

ତୁମଠି ସମ୍ପୂର୍ଣ୍ଣ ହୋଇ,

ଆମ ପାଖରେ ଅସମ୍ପୂର୍ଣ୍ଣ ରହିଗଲା…..

॥ ତିନି ॥

ହେ ସ୍ଵୟଂସମ୍ପୂର୍ଣ୍ଣ

ସ୍ଵୟଂସିଦ୍ଧ…..

ଫକୀରମୋହନ…..

ବର୍ତ୍ତମାନର ଏ ଅସମ୍ପୂର୍ଣ୍ଣ

ବିପଥଗାମୀ,

ଜାତୀୟ ସାହିତ୍ୟକୁ ଆଶୀର୍ବାଦ କର

ସେ ତା’ର ପାପର ପ୍ରାୟଶ୍ଚିତ କରୁ…..

Image

 

ତ୍ରିଚ୍ଛକି ରାସ୍ତାରେ… !!!

 

॥ ଏକ ॥

ଠିଆ ହୋଇ,

ଜୀବନର ତ୍ରିଚ୍ଛକି ରାସ୍ତାରେ

ପ୍ରଥମରେ ମୁଁ ଦେଖୁଛି,

ଜୀବନର କୋଳାହଳ

ହଳାହଳମୟ……

ମାଠିଆଏ ଅମୃତରେ,

ନଖରମ୍ପା ବିଷ…..

ମିଶିଗଲା,

ଜୀବନରେ ବାହୁନିବା ସାର ହେଲା ଖାଲି…..

॥ ଦୁଇ ॥

ତୃତୀୟରେ ମୁଁ ଦେଖୁଚି,

ଜୀବନର ଗୋଲାପରେ,

କଣ୍ଟକର ଛିଟା ଖାଲି ଛିଟା…..

ଜୀବନର ଦୁର୍ଦ୍ଦନ ଖଟାରେ

 

ଅବଲୁପ୍ତ ହୁଏ ବଂଧୁ…..

ଜୀବନର ସ୍ଵାଦ ଯେତେ ମିଠା

॥ ତିନି ॥

ତୃତୀୟରେ ମୁଁ ଦେଖୁଚି,

ଜୀବନର ଶ୍ରାବଣ ଘନରେ,

ବିଦ୍ୟୁତର ନବରଙ୍ଗ ରାସ

ଜୀବନର ବସନ୍ତଟା…..

ମିଛ ଆଉ ମୁତ୍‌ଫର୍କା ଖାଲି

ବସନ୍ତଟା…..

ଖୋଜିବା ଖୋଜିବା ଅର୍ଥ

ମୂର୍ଖତାର ବଡ଼ପଣ୍ତା ହେବା…..

॥ ଚାରି ॥

ତେଣୁ ଆଜି ଠିଆ ହୋଇ

ଜୀବନର ତ୍ରିଚ୍ଛକି ରାସ୍ତାରେ…..

ମୁଁ କାନ୍ଦୁଚି…..

ମୋ ଜୀବନ ଅତୀତ ସୁମରି

କାନ୍ଦିବାଟା କହ ସତେ….. ?

କେଡ଼ିକି ସାନ୍ତ୍ଵନା….. ??

ଏତିକିରେ ମୁଁ ବୁଝିଛି

ଜୀବନକୁ ଭୁଲିବାର ମୋହ…..

Image

 

ଘୋଡ଼ାଚଢ଼ା ବାପ… !!!

 

॥ ଏକ ॥

ମୁଁ ଘୋଡ଼ାଚଢ଼ା ବାପ ପାଇଛି

ସେ ଅତି ସ୍ନେହୀ, ଅତି ଉଦାର

ମୁଁ ଭୋକରେ ଆଉଟି ପାଉଟି ହେଲେ

ସେ ମୋ ପାଇଁ ଆତୁର ହୁଅନ୍ତି….. !

॥ ଦୁଇ ॥

କେବେ କେବେ ମୋ ଘରକୁ ଫେରେ

ଡେରି ରାତିରେ ହେଲେ,

ସେ ପଚାରନ୍ତି….. !

॥ ତିନି ॥

ଏ ସବୁ ସତ୍ତ୍ଵେ, ମୁଁ ଗୋଟାଏ ଅଭାବ

ବିଶେଷ ଭାବେ ଅନୁଭବ କରୁଚି……

ସେଥିପାଇଁ ଆଖିରୁ କେତେ

ଶେଯରେ ଶୋଇ

ଅବିଶ୍ରାନ୍ତ ଲୁହ ଗଡ଼ାଉଚି……

॥ ଚାରି ॥

ସେ ଅଭାବଟା ହେଉଚି,

ମୋର ଏକ ଧାନକୁଟୁଣୀ ମା’ ଦରକାର

ମୋର କେହି ଏଇମିତି ଏକ ମା’ ହୁଅ

କିବା ମା’ ଯଦି କେଉଁଠୁଁ ମିଳୁଚି କୁହ

ମୁଁ ତାକୁ ମୁଣ୍ତିଆ ମାରି,

ମୋ ପାଖକୁ ଆଣିବି……

॥ ପାଞ୍ଚ ॥

ସେହି ଧାନକୁଟୁଣୀ ମା’କୁ ପାଇ,

ମୁଁ ମୋ ଜୀବନର ସମସ୍ତ କାଳିମା

ତା’ରି ସ୍ନେହ ସ୍ପର୍ଶରେ ଧୋଇଦେବି,

ଯେଉଁ କାଳିମାକୁ କି ଆଜି ପର୍ଯ୍ୟନ୍ତ

ଘୋଡ଼ାଚଢ଼ା ବାପ ପାଇଁ……

ଧୋଇ ପାରିଲି ନାହିଁ..… !!!

Image

 

ପୂଜ୍ୟ ଆର୍ତ୍ତବଲ୍ଲଭ… !!!

 

॥ ଏକ ॥

ତମେ ଜୀବନର,

ସୂର୍ଯ୍ୟୋଦୟ ଠାରୁ

ଜୀବନର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ

ନିଜେ ଆର୍ତ୍ତ ରହି,

ଏ ସାହିତ୍ୟରେ ବଲ୍ଲଭ ବନିଗଲ……

ଏହା ହିଁ ତମ ନାମର ଚରମ ସାର୍ଥକତା……

॥ ଦୁଇ ॥

ପୁଣି ଏ ସାହିତ୍ୟରେ,

ତମ ବଲ୍ଲଭଗିରିର

ଯେଉଁ ସାଧନା ଓ ଗବେଷଣା……

ତାହା ଏ ସାହିତ୍ୟ,

ଇତିହାସର ଆଲୋଚନାରେ,

ଚିରକାଳ ଅମଳିନ ଓ ଅବିସ୍ମର……

ଏହାରି ଯୋଗୁଁ ତମେ ହେଲ ଜାତି ସ୍ମର……

॥ ତିନି ॥

ତେଣୁ ହେ ପୂଜ୍ୟ ଆର୍ତ୍ତବଲ୍ଲଭ……

ତମରି ସାଧନାରୁ କିଞ୍ଚିତ……

ସବୁ ନ ହେଲେ ମଧ୍ୟ

ଆଜିର ଭବିଷ୍ୟତ ବଂଶଧର

ଲାଭ କରି……

କଳଙ୍କିତ ହେବାକୁ, ଯାଉଥିବା

ଏ ଭାଷା-ସାହିତ୍ୟକୁ……

ଋଦ୍ଧିମନ୍ତ……

ଋଚିମନ୍ତ

ସର୍ବାଙ୍ଗ ସୁନ୍ଦର

କରନ୍ତୁ……

Image

 

ପ୍ରୋଜ ଓ ପୋଏଟ୍ରୀ…

 

॥ ଏକ ॥

ଶୁଣ ଶୁଣ ପ୍ରିୟ ବନ୍ଧୁ,

ହେ ଡାକ୍ତର ରାଧାଶ୍ୟାମ କର……

ଏ ଜୀବନ ବର୍ତ୍ତମାନ

ପ୍ରୋଜ ଆଉ ପୋଏଟ୍ରୀର

ସମଗ୍ର ଖବର……

॥ ଦୁଇ ॥

ଏ ଜୀବନ ପ୍ରୋଜରେ ମୋ

ଅମାନିଆଁ ସମୁଦ୍ରର ଢେଉ……

ଅଶାନ୍ତ ଲହରୀ……

ପ୍ରଶାନ୍ତ ବୁକୁରେ ଆଜି……

ଅଯାଚିତ ଦୀନତା ଓ ହୀନତାର

ଦୁର୍ଦ୍ଦାନ୍ତ ପ୍ରହରୀ……

ଚାରିପଟେ ଜଗୁଆଳ

ପଥ କାହିଁ….. ?

ଯିବି ଅବା କାହିଁ….. ??

ବୁଦ୍ଧି ଓ ବିବେକ ଆଜି

ସବୁ ପରାଜିତ……

ଅଗ୍ର ଓ ପଶ୍ଚାତ କିଛି

ଜଣା ପଡ଼ୁ ନାହିଁ……

॥ ତିନି ॥

ଏ ଜୀବନ ପୋଏଟ୍ରୀରେ

ଚନ୍ଦ୍ର ମୋଟେ ନାହିଁ…..

ରୁଟି ଖାଲି ରୁଟି,

ଏ ଜୀବନ ଜଂଜାଳ-ଜାଳରେ

ତିଳେ ଆଜି ମିଳୁନାହିଁ ଛୁଟି……

॥ ଚାରି ॥

ଏହିପରି ପ୍ରୋଜ୍‍ ଆଉ ପୋଏଟ୍ରୀରେ

ଏ ଜୀବନ ବିତେ ଦିନ ରାତି……

ଶୁଣ ତୁମେ ହେ ଡାକ୍ତର

ଶିଶୁରୋଗ ବିଶେଷଜ୍ଞ

ରାଧାଶ୍ୟାମ କର…..

ଶୁଣ କାନପାତି

ଆହେ ପ୍ରିୟ ସାଥୀ..…

Image

 

ମୋତେ ଆଉ ଶୁଣା ନାହିଁ… !!!

 

॥ ଏକ ॥

ମୋତେ ଆଉ ଶୁଣା ନାହିଁ,

ଗୀତା-ଭାଗବତ

ମୋତେ ଆଉ ଶୁଣାନାହିଁ

ପୁରାଣର ପାଠ……

ମୋତେ ଆଉ ଶୁଣା ନାହିଁ

ନୀତି କଥା, ନୀତିର ବିଚାର

ମୋତେ ଆଉ ଶୁଣା ନାହିଁ

ଧାର୍ମିକର ଧର୍ମ ଉପଚାର……

ଏ ସବୁଟା ଶୁଣି ଶୁଣି

ପଙ୍ଗୁ କଲି……

ମୋ ଜୀବନ କାଳ,

ଧଳା ହେଲା ମୋ ମୁଣ୍ତର

ଯେତେ କଳାବାଳ……

॥ ଦୁଇ ॥

ଏ ଧର୍ମର, ଏ ନୀତିର

ଅଫିମଟା ଖୋଇ ଖୋଇ

ତମେ ମୋତେ କିଆଁ କଲ…… ?

କହ ମତୁଆଳ…… ??

ତମେ ଏଡ଼େ ଚାଲାଖ ଚତୁର

ଧର୍ମର ଛାରପୋକ

ସାଜି ତୁମେ,

ପଳେ ପଳେ ଶୋଷିନେଲ,

ଏ ଜୀବନ ରୁଧିର ଜୁଆର

॥ ତିନି ॥

ତେଣୁ ତୁମେ ଶୁଣ ଆଜି,

ହେ ଧର୍ମର ବଡ଼ ପଣ୍ତା……

ନୀତିବାଦୀ ଧର୍ମ ପ୍ରଚାରକ

ମୁଁ ଆଜି ମାନିବି ନାହିଁ

ମୁଁ ଆଜି ଭୁଲିବି ନାହିଁ

ତୁମରି ଏ ଭୁଲାଣିଆ……

ମରଫିଆ, କଥାର କାହାଣୀ

ମୁଁ ଆଜି ଚାଲିଲି ବଂଧୁ

ଧର୍ମଛଡ଼ା, ଗୋଷ୍ଠୀଛଡ଼ା ହୋଇ

ଗାଇବାକୁ ମୋ ଜୀବନ

କବିତା-କାହାଣୀ……

॥ ଚାରି ॥

ମୁଁ ଜାଣେ ମୋହରି ସ୍ଥିତି

ମୋର ଅବସ୍ଥିତି,

ମୋତେ ଆଜି ବାଟ ଛାଡ଼ି

ଶୁଣିଯାଅ ତୁମେ ଯେତେ

ଭଣ୍ତ ଧର୍ମ-ଧ୍ଵଜୀ……

ମୋର ଆଜି ସାର୍ଥକ ଏ

ଜୀବନର ଗୀତି…

Image

 

ଉପସର୍ଗର କବିତା…

 

॥ ଏକ ॥

ସେ ଦିନ କେତେକ ବଂଧୁ

ରାସ୍ତାରେ ମେଳାବାନ୍ଧି

ମୋ ବିରୁଦ୍ଧରେ,

ମଙ୍ଗଳାବାଗଠାରୁ

ମେଡ଼ିକାଲ ଯାଏ ଗପୁଥିଲେ……

ମୁଁ ସେମାନଙ୍କର,

ମୋ ବିରୁଦ୍ଧରେ……

ଆଲୋଚନାର ସୁରାକ୍ ପାଇ

ପେଟ ଫଟେଇ ହସିଲି……

ଏବଂ କହିଲି……

ଆହା….. ହା….. ହା……

ମୁଁ ବିଚାରା,

କେଡ଼େ ବଡ଼

ବିବେକହୀନ ଭୁଲ୍ କଲି……

 

॥ ଦୁଇ ॥

କାହିଁକି ନା……

ସେହି ବଂଧୁମାନଙ୍କର

ଦୁର୍ଦ୍ଦିନରେ…..

ମୋ ପେଟରୁ

ମୋ ପିଠିରୁ କାଟି……

ସେମାନଙ୍କୁ ଦାନା କନା ଦେଲି

ତାଙ୍କ ଆଖିରୁ

ଲୁହ ଗଡ଼ି ଆସୁଥିଲା ବେଳେ

ମୋ ଲୁଗା କୁଞ୍ଚିରେ,

ସେମାନଙ୍କର……

ସୁନାଲୁହ ଗୁଡ଼ିକ

ପୋଛି ପକେଇଲି……

 

“ସଂସାର ଭିତରେ

ଘର-କରିଥିଲେ

ପଥର ପଡ଼ିଲେ ସଇ” କହି

ସେମାନଙ୍କୁ ଦଉଡ଼ି ଦିଆ

ଆତ୍ମହତ୍ୟାରୁ ରକ୍ଷା କଲି……

ଏଣୁ ମୁଁ କେଡ଼େ ବଡ଼

ଅପରାଧ ନ କଲି….. ??

ଅତଏବ……

ସେମାନେ ମୋ ବିରୁଦ୍ଧରେ

ମେଳାବାଂଧି ଗପିବେ ନାହିଁ ତ

ଆଉ ଗପିବ କିଏ…… ??

॥ ତିନି ॥

ଆଜି ଯାହାର,

ଉପକାର କଲେ

ତା’ରି ପୁରସ୍କାର ବଦଳରେ

ସେ ତ ପ୍ରଥମେ

ଦି’ଗୋଇଠା ମାରିବ…

ଏଥିରେ ବିଚିତ୍ରତା ବା

କ’ଣ ଅଛି…… ???

ଉପେନ୍ଦ୍ର ଭଂଜଙ୍କ ଭାଷାରେ,

“କିସ ପୁଣି ଦେଖା ନ ଯାଏ

ବଞ୍ଚି ଥିଲେ ଜୀବନେ…… ??”

ଏଇମିତି ଏକ ଜୀବନ

ମୁଁ ଛାତିକି ପଥର କରି

ଆଖିକି ଲୁହା କରି

କଟେଇ ଚାଲିଚି……

॥ ଚାରି ॥

ଏଇମିତି ଏକ

ଜୀବନ କାଟିବାରେ,

ମୋର ଯେ,

କି ଆତ୍ମପ୍ରସାଦ

କି ଆତ୍ମବିଶ୍ଵାସ ଅଛି……

ତାହା ଅନୁଭବି ମାତ୍ରେ ହେଁ

ବୁଝି ପାରିବେ……

॥ ପାଞ୍ଚ ॥

ଅପକାର ନିନ୍ଦାକୁତ୍ସାର

ଦୁଇଟା ଟେଳା……

ମୋର ଉପକାର

ପାହାଡ଼କୁ……

କ’ଣ ଟଳାଇ ପାରିବ….. ?

ଏଇତକ,

ଆଜି ମୋର ବୁଝିଲା ମନ

ବୁଝି ପାରୁନି…

ଏଇତକ,

ଆଜି କେହି ବୁଝାଇ ଦିଅ

ମୁଁ ଚାରି ମାସ……

ତୁମର ଜୋତା ସଫା କରିବି..…

Image

 

ଖାଲି ସେବା… !!!

 

॥ ଏକ ॥

ଖାଲି ସେବା……

ଖାଲି ତ୍ୟାଗ,

ଆଦର୍ଶର ପ୍ରତିଫଳନରେ

ଶେଷେ ହେଲ ତୁମେ ଆଜି

ତୁଠର-ପଥର……

କୁହ କୁହ ତୁମେ ଆଜି

କଟକଠୁଁ ଅନୁଗୁଳ

କାହିଁ କେତେ ଦୂର….. ??

॥ ଦୁଇ ॥

ମୁଁ କରୁଚି ଯେତେବେଳେ,

ତୁମରି ଏ ଜୀବନ ତର୍ଜମା…..

ମିଥ୍ୟା ନୁହେଁ ଜମା,

ଭୁଲ କଥା ଲେଖି

ନିଜ ଲେଖନୀରେ……

ମାଗୁ ନାହିଁ,

ତିଳେ ମାତ୍ର କ୍ଷମା..…

॥ ତିନି ॥

ହେ ସୁବିମଳ ଦେ’ ତୁମେ…… !

ମୋର ସମ୍ଵୋଧନେ ଖାଲି

ରୁହ ପଛେ ଦାଦା……

ତୁମରି ଏ ଜୀବନର

ଇତିବୃତ୍ତ

ପ୍ରେରଣାର ଉତ୍ସ ଏକ……

ନୁହେଁ ଅଳଙ୍କାର ତାହା,

ହେଉ ପଛେ..…

ଖାଲି ସିଧାସାଦା…..

ଏ ସମାଜ, ଏ ଦେଶର

ଚର୍ଚ୍ଚା ସ୍ତରେ ସ୍ତରେ…..

ଯେ କହିଛି,

ପଦେ କଥା, ତୁମ ସଙ୍ଗେ

ତୁମ ସ୍ମୃତି ରହିଯିବ

ସେ ବଂଧୁର,

ହୃଦ ଗନ୍ତାଘରେ……

Image

 

ତୁମରି ଏ ଦେହାନ୍ତର ବର୍ଷକ ପରେ… !!!

 

॥ ଏକ ॥

ତୁମରି ଏ ଫୁରୁଫୁରୁ

ମୁଣ୍ତବାଳ……

ବେହରଣ

ଧୋତି ଖଣ୍ତେ

ଟେପ୍ ଲଗା,

ସାଦା ପଞ୍ଜାବୀଟା…..

ଗୋଡ଼ରେ ହାଲୁକା ଚଟୀ

ବେଳେ ବେଳେ ଚାଲୁଥାଅ

ଖାଲି ପାଦଟାରେ…..

॥ ଦୁଇ ॥

ସେ ସବୁ କାଲିର କଥା,

କଟକର ରାଜରାସ୍ତା……

ବିଶେଷତଃ..…

ବିନୋଦବିହାରୀ ଛକ

ବାଙ୍କାବଜାର ଲେନ୍

ଅବା ବସ୍‍ଷ୍ଟାଣ୍ଡ

କଟକ ଷ୍ଟେସନ

ବାଲୁଗାଆଁ

ବାଣପୁର……

କଲେଜ କମିଟି

ତୁମ ନିଜ ଗାଆଁ

ନିଜ ଭିଟା-ମାଟି

କଟକର ହରିପୁର…..

ନିଆଁ ଖୁଣ୍ଟା ଅଫିସରେ,

ଯେ ଦେଖିଛି,

ଯେ କହିଛି କଥା ଥରେ

ତୁମ ସଂଗେ ଦରକାରୀ

ଆଉ ଅବା…..

ଅଦରକାରୀରେ…..

ସେମାନେ ଭାବିବେ ନିଶ୍ଚେ

ତୁମ ସ୍ମୃତି..… !

ତୁମରି ସେ ପଦେ ପଦେ

ପେଟଫଟା, ହସକଥା

ହସର କାହାଣୀ,

ସେମାନଙ୍କ……

ଜୀବ ଯିବା ଯାଏ……

॥ ତିନି ॥

ଏଇଭଳି

ତୁମେ ଥିଲ

ଏ ମାଟିର, ଏ ଜାତିର

ଅତି ପ୍ରିୟ ମନର ମଣିଷ……

ସାହିତ୍ୟିକ…..

ହାସ୍ୟ ରସିକ ବି

ଅତିପ୍ରିୟ, ପ୍ରିୟତର

ପ୍ରିୟତମ କବି……

॥ ଚାରି ॥

ତୁମ ଦେହ ମରିଗଲା

ତୁମ କୋହ ସରିଗଲା

ଆମେ କିନ୍ତୁ ଥିରି ଥିରି

କାନ୍ଦୁଅଛୁଁ…..

ବିକଳେ ବାହୁନି…..

କେ କଷିବ ଏ ଜାତିର

ଜଟିଳିଆ ଅଙ୍କ ଗୁଡ଼ା..… ?

ଫାଙ୍କା ଫାଙ୍କା ସେଇମିତି

ଅଙ୍କ ଖାତା,

ପଡ଼ିଚି ଏଇଠି

କେ ବୁଝିବ, ଏ ଜାତିର

ଗୋତି ଆଉ ବେଠି….. ??

॥ ପାଞ୍ଚ ॥

କେ କରିବ ସମାଧାନ..… ?

ଏ ଜାତିର ସୀମା ସରହଦ..… ??

କଥା ଆଉ କାହାଣୀରେ,

କବିତାର ଗାଆଣୀରେ…..

ଯୁଗ ଯୁଗ ଯାଏ..… !!!

ହେ ଗୋଦାବରୀଶ…

ତୁମ ସ୍ମୃତି

ତୁମ ମୃତ୍ୟୁ…..

ଆଣେ ଦୀର୍ଘଶ୍ଵାସ..…

ଦୁଃଖ ଆଉ ଦୀନତାରେ

କରି ହାଏ….. ହାଏ..…

ଯୁଗ ଯୁଗ ଯାଏ….. !!!

Image

 

ମୋର ଯେତେ ବଂଧୁ ବାଂଧବଙ୍କୁ… !!!

 

॥ ଏକ ॥

ମୋର ଯେତେ ବଂଧୁ ବାଂଧବଂକୁ

ସେମାନେ ଦୂର……

ବା ନିକଟ ହୁଅନ୍ତୁ…

ମୁଁ ସେମାନଙ୍କୁ……

“ସ୍ନେହର ଶୂନ ଗାଡ଼ିରେ,

ମାୟାର ମଟର ସାଇକେଲରେ

ମମତାର ମଟର ଗାଡ଼ିରେ

ଓ ଶେଷରେ……

ଆନ୍ତରିକତାର

ଉଡ଼ାଜାହାଜରେ……

ଭେଟିଥିଲି”….. !!!

॥ ଦୁଇ ॥

କିନ୍ତୁ ମୋର

ଉପର ଲିଖିତ

କ୍ରିୟା-କଳାପ ସତ୍ତ୍ଵେ……

ସେମାନେ ମୋତେ…..

“ଦ୍ଵେଷର କଟୁରୀରେ,

ଘୃଣାର ଶାବଳରେ,

ହିଂସାର କୁରାଢ଼ୀରେ…..

ପରଶ୍ରୀକାତରତାର ବଂଧୁକରେ…..”

ବାରବାର ବିଦ୍ଧ କଲେ…..

॥ ତିନି ॥

ଏ ସବୁ ସତ୍ତ୍ଵେ,

ମୁଁ ମରି ପାରିଲିନି……

ମୁଁ ଆଜି…..

ଅଟଳ–ମହାମେରୁ

ଏବେ ବି ସେମାନେ

ମୋତେ ଦେଖିଲେ ଦୂରୁଁ

ଯେ’ ଯାହାର ବାଟରେ

ଅବାଟରେ ବାଟ ଭାଙ୍ଗି,

ଆଡ଼େଇ ହୋଇ

ଚାଲିଯାଆନ୍ତି…… !!!

॥ ଚାରି ॥

ମୁଁ ସେମାନଙ୍କର

ଏ ଗତିବିଧି

ବାରମ୍ଵାର ଲକ୍ଷ୍ୟ କରିଚି……

ଏବଂ ସେଇମାନଙ୍କ ଯୋଗୁଁ

ମୁଁ ଯେ ଏଡ଼େ ଧୈର୍ଯ୍ୟବାନ

ଓ ବୀର୍ଯ୍ୟବାନ……

ହୋଇ ପାରିଚି……

ତାହାହିଁ ଆଜି,

ସେଇମାନଙ୍କୁ

ସେଇମାନଙ୍କ ନାଁରେ…..

ବଧାଇ ଦେଉଛି

ଏବଂ କହୁଚି..… !!!

॥ ପାଞ୍ଚ ॥

ହେ ଏହିପରି,

ବଂଧୁ ବାନ୍ଧବ ମାନେ…..

ତମେ କାଳେ କାଳେ

ବଞ୍ଚିଥାଅ….. !!!

ତା’ ନ ହେଲେ

ତମର କୁତ୍ସା ନିନ୍ଦାର

ନିଆଁରେ ଜଳିପୋଡ଼ି

ମୋର ଏ ଜୀବନ ସୁନା,

ଏଡ଼ିକି ଶୁଦ୍ଧ ଓ ପବିତ୍ର

ହୋଇ ପାରନ୍ତା ନାହିଁ….. !!!

Image

 

ଏ ଜାତିର….. !!!

 

ଏ ଜାତିର,

ଦୁଃଖ ଦୈନ୍ୟରେ…..

ଅସରନ୍ତି ଅଶ୍ରୁର…..

ପାରାବାର ସୃଷ୍ଟି କରି

ବୁକୁର କୋହ

ଓ ମମତାର ମୋହରେ……

ହେ ପୂଜ୍ୟ ପ୍ରାଣ

ପ୍ରାତଃ ସ୍ମରଣୀୟ

ଗୋପବଂଧୁ..… !!!

 

ତମେ ଯେଉଁ ମାନବିକତାର

ଉତ୍ତୁଙ୍ଗ ଶିଖର……

ଏ ମାଟିରେ ତୋଳି ଯାଇଛ……

ସେଥିରୁ କାଣିଚାଏ,

ଯଦି ଆମେ ଶିଖି ପାରନ୍ତୁ,

ତା ହେଲେ……

ଆଜିର ଏ ଦେଶ,

ତୁମ ସ୍ଵପ୍ନର ପରିବେଶ

ଆହୁରି ସଫଳ

ସବୁଜ ହୋଇ ପାରନ୍ତା……

Image

 

ଜଣେ ଅତୀତର ସାହିତ୍ୟିକଙ୍କୁ… !!!

 

॥ ଏକ ॥

ଆମ ସାହିତ୍ୟରେ,

ତମ ବେଳର ଯେଉଁମାନେ

ସାହିତ୍ୟ ସିଲଟରେ ଖଡ଼ି

ଛୁଉଁଥିଲେ……

ଏବଂ ତମରି ସାହାଯ୍ୟ

ଓ ସହାନୁଭୂତିରେ……

ଯେଉଁମାନେ ସାହିତ୍ୟରେ

ବହି ପଢ଼ି ପାରିଲେ……

ଓ ବର୍ତ୍ତମାନର

ନିଜ ସୃଷ୍ଟ ସାହିତ୍ୟକୁ,

ଅନ୍ୟକୁ ପଢ଼ିବାର ସୁଯୋଗ ଦେଲେ……

ସେମାନେ ଆଜି……

ସାହିତ୍ୟର ମାଷ୍ଟର ହେଲେଣି…… !!!

॥ ଦୁଇ ॥

କିନ୍ତୁ

ସେମାନଙ୍କୁ ଆଜି

ମାଷ୍ଟର କରିବାରେ……

ତମେ ହିଁ ମୂଳକର୍ତ୍ତା….. !!!

ତମେ ନ ଥିଲେ,

ସେଇଟା ଆଜି

ସମ୍ଭବ ହୋଇ ନ ଥାନ୍ତା…… !!!

ଯେହେତୁ,

ରାଜାଟା ବଡ଼ ନୁହେଁ,

ଯିଏ ରାଜା ତିଆରି କରେ

ସେ ହେଉଚି ବଡ଼……

ତମେ ଏ ଦୃଷ୍ଟିରୁ

ମୋ ଜାତିରେ,

ମୋ ସାହିତ୍ୟରେ

ନମସ୍ୟ..… !!!

Image

 

ଘେନ ନମସ୍କାର… !!!

 

॥ ଏକ ॥

ଏ ଅଗଷ୍ଟ ପନ୍ଦରର

ସ୍ମରଣୀୟ ଦିନେ,

ଏ ପବିତ୍ର ମହନୀୟ ଦିବସର

ବିପୁଳ ଓ ଅତୁଳ ଆହ୍ଵାନେ

ଗଗନ ପବନ ଯେବେ,

ମୁଖରିତ ଆଜି……

ସ୍ଵାଧୀନତା ଶୁଭଶଂଖ

ଏ ମାଟିରେ……

ଏ ଜାତିର, ଏ ଛାତିରେ

ଉଠିଥିଲା ବାଜି……

ଆଜି ତା’ର ସ୍ମୃତି ସ୍ମାରକୀରେ……

ଆଜି ତା’ର ଶୁଭଦିନ,

ମାଙ୍ଗଳିକ ଗାନ……

ଶ୍ରମଜୀବି ବଂଧୁ ମୋର

କର ଆଜି କର ତାକୁ

ଶତତ ପ୍ରଣାମ…..

॥ ଦୁଇ ॥

ଶ୍ରମଜୀବି,

ତୁମରି ଏ ଜନ୍ମ ଲଗନରେ

ତୁମରି ପ୍ରାଣର ଭାଷା,

ତୁମରି ଜୀବନ ଆଶା……

ଜୀବନର ଯାହା କିଛି

ସବୁଜ ସୁନ୍ଦର……

ଯାହା ଶୁଭଙ୍କର…….

ରୂପ ନେଉ,

କୋଟି ପ୍ରାଣେ

ଯୁଗ ଯୁଗ ଲାଗି…… !!!

ହେ ସୃଷ୍ଟିର ଆଦ୍ୟଶ୍ଳୋକ……

ସତ୍ୟ ଅନୁରାଗୀ…… !!

॥ ତିନି ॥

ତେଣୁ ଆଜି ମନପ୍ରାଣୁଁ

ତେଜ ତୁମେ……

ଜଡ଼ତା ନିର୍ମୋକ,

ତୁମରି ଏ ଶ୍ରମଦାନେ…..

ପୁଣି ଶ୍ରମ ସଂଗୀତର ଗାନେ…..

ଗାଇ ଗାଇ ଯାଅ ବଂଧୁ…..

ନୂଆ କରି ଆଉ ଥରେ

ଶ୍ରମର ମହତ ମୂଲ…..

ଗୀତା ଭାଗବତ…..

ସେ ସଂଗୀତ…..

ଇଂଗୀତର ଧ୍ଵନି…..

ଆଣୁ ପ୍ରାଣେ ନବଜନ୍ମ

ଆଣୁ ଶତ ଶତ…..

॥ ଚାରି ॥

ଜୀବନର ଯାହାକିଛି ଅଭିଯୋଗ,

ଅଭାବ ଦୁଃସ୍ଥିତି……

ମନେରଖ ବଂଧୁ ତାହା,

ସୁଧୁରିବ…..

ଦିନେ ନା ଦିନେ ତା

ଯଦି ତୁମେ,

ଧୀର ଆଉ ଧୈର୍ଯ୍ୟ ସହକାରେ…..

କର୍ତ୍ତବ୍ୟ ପାଳନେ…..

ଲକ୍ଷ୍ୟରଖି ରହ ଅବିଚଳ

ମନେ ବହି, ସଦା ଗୁରୁ

ଶାନ୍ତି ସାମ୍ୟ-ନୀତି..… !!!

॥ ପାଞ୍ଚ ॥

ଏ ଜାତୀୟ ଯୋଜନାର

ରଥଚକ……

ଚାଲିବାକୁ ଆଗକୁ ଆଗକୁ

ପୁଣି ବାଛି…… ବାଛି

ତୁମେ ଏକା

ସାରଥୀ ତାହାର……

ତା’ର ସବ୍ୟସାଚୀ…… !!!

॥ ଛଅ ॥

ଏ ଜାତୀୟ ଜୀବନର

ପ୍ରତିଛବି…..

ଛବିଳ ବିକାଶେ

ତୁମେ ତା’ର ଜ୍ଵଳନ୍ତ ପ୍ରକାଶ……

ନ ମଣ ନିଜକୁ ବଂଧୁ……

ହୀନ-ନୀଚ……

ନ ମଣ ନିଜକୁ ଆଜି

ଜୀବନର ଘୃଣ୍ୟ

ଅଭିଳାଷ..…

ଅବା ତୁମ,

ଜୀବନର ତୀବ୍ର ଉପହାସ..… !!!

॥ ସାତ ॥

ତେଣୁ କହେ ବଂଧୁ ପୁଣି…..

ତୁମରି ଏ କାର୍ଯ୍ୟ କରଣୀରେ…..

ନୂତନ ସ୍ଵାକ୍ଷର ପୁଣି,

ନୂତନର ହେଉ ବାର୍ତ୍ତାବହ…..

ମହତର ଦାନ ପୁଣି

ମହତ ଜୀବନ ଯା’ର……

ଏଡ଼ିକି ସଂସାରେ……

ସେ କି କେବେ..… ?

ଦୀନ-ହୀନ କହ..… ??

॥ ଆଠ ॥

ମୋ ଦେଶର ବିଶ୍ଵକର୍ମା……

ମୋ ଦେଶର ଶ୍ରମଜୀବି ଦଳ…..

ତୁମରି ନାମର

ଆଉ ତୁମରି କାମର…..

ଏ ଦେଶ ସାଇତି ରଖୁଁ

ତୁମ କାର୍ଯ୍ୟ କରଣୀର……

ତୁମ ଶ୍ରେଷ୍ଠ ସରଣୀର,

ଶ୍ରେଷ୍ଠ ପୁରସ୍କାର…..

ଘେନ ବଂଧୁ, ଘେନ ଆଜି

ମୋର ନମସ୍କାର..… !!!

Image

 

ବ୍ରଜ ମୋହନ ମହାନ୍ତିଙ୍କୁ… !!!

[ପ୍ରଥମ ପତ୍ର]

 

॥ ଏକ ॥

ହେ କବି ବଂଧୁ,

ବ୍ରଜ ମୋହନ ମହାନ୍ତି

ତମ କଥା କିଏ ଯେ କେତେ

ଗଙ୍ଗାଠାରୁ ଗୋଦାବରୀ ଯାଏ,

ବେଳେ ବେଳେ ମୋତେଇ କହନ୍ତି……

ମୁଁ ସେ କଥାକୁ କେତେ କିଲୋ ବିଶ୍ଵାସ

ଓ କେତେ କିଲୋ ଅବିଶ୍ଵାସ କରେ……

ତାହା ତୁମକୁ ବେଶ୍ ଜଣା……

“ଆଜିର ସ୍ଵାର୍ଥ ସର୍ବସ୍ଵ ଦୁନିଆଁ”

ତମକୁ ନୁହଁଇ ଅଛପା

ନୁହଇ ଅଜଣା..… !!!

॥ ଦୁଇ ॥

କିନ୍ତୁ ବ୍ରଜବାବୁ……

ମୋ ମନର ମୁକୁରରେ……

ଆଜି ଗୋଟିଏ କଥା

ପ୍ରତିବିମ୍ଵିତ ହେଉଚି……

ତାହା ହିଁ ଆଜି……

ମୁଁ ଖୋଲାଖୋଲି ଭାବେ କହୁଚି……

ଭୁଲ ବୁଝାମଣାର…..

ଓକିଲାତି କରିବ ନାହିଁ……

॥ ତିନି ॥

ଆଜିର ସାହିତ୍ୟିକ ଜୀବନରେ,

ଯେତିକି ସହୃଦୟତା……

ସଂଯମତା…..

ସହନଶୀଳତା,

ଦରକାର ଓ ଦରକାର ହେବା

ଏକାନ୍ତ କାମ୍ୟ……

ତାହା ଯେ କେତେ କଣ

ସାହିତ୍ୟିକ ଆଜି…… ?

 

ବାଙ୍କା ବଜାର ହାଟରେ……

ସାହିତ୍ୟ ଟୋକେଇ ଧରି ବସିଛନ୍ତି

ଓ ସେମାନଙ୍କ ପାଖରେ ଏ ସବୁଟା

କେତେ ଦୂର ମୂର୍ତ୍ତିମନ୍ତ ହୋଇଚି……

ମୁଁ ସେଗୁଡ଼ିକୁ ହିଁ

କେତେ ବର୍ଷ, କେତେ ଦିନ

କେତେ ଦଣ୍ତ ଧରି ଖୋଜି ଚାଲିଚି

ଓ ମୋର ସେ ଖୋଜିବାଟା

ସାର୍ଥକ କି ଅସାର୍ଥକ….. ?

 

ତାହା ତୁମକୁ ଆଜି

ଛାତିରେ ହାତ ଦେଇ……

କହିବାକୁ ପଡ଼ିବ…

ଯଦି ତୁମେ ଜବାବ ନ ଦିଅ

ମୁଁ ସ୍ଥିର ନିଶ୍ଚିତ ଭାବେ ବୁଝିବି……

ତୁମେ ସାହିତ୍ୟ ନାଁରେ

ଜାଳେଣୀ କାଠ ବିକୁଚ..… !!

॥ ତିନି ॥

ବ୍ରଜବାବୁ……

ତୁମକୁ ମୁଁ ତୁମରି

ସାହିତ୍ୟିକ କୃତୀରେ

ବଧାଇ ଦେଉଛି……

‘ତୁମକୁ ମୋ ରାଣ’

ସତ କହିବ……

ତୁମର ‘ସୀତାନାଥଙ୍କ ସଂସାର’

ଆଜି କ’ଣ ପ୍ରକୃତ

ସଂସାରରେ ଅଛି…… ??

 

ତୁମର ‘ଅଗଣିତ କ୍ଷୁଧା ସଂପର୍କରେ’

ଲେଖା ପଢ଼ୁ ପଢ଼ୁ……

ଆଜିର ଖାଉଟୀ କଣ୍ଟ୍ରୋଲ କାର୍ଡ଼ର

ଅଧା କୋଟା ଚିନି……

ଓ ପୂରା କୋଟା ଗହମ କଥା

 

ମୋର ମନେ ପଡ଼ୁଚି……

ଓ ଆଜିର ବଜାରରେ…..

ବାଇଗଣ କିଲୋ ଯେ…..

ଶହେ ପଚସ୍ତରୀ ପଇସା

ସେ କଥା ଭାବି ଭାବି…..

ମୋରି ନାମର ମାହାତ୍ମ୍ୟରେ…..

ମୁଁ ଦାରୁଭୂତ……

“ମୁରାରି” ପାଲଟି ଗଲିଣି…… !!!

॥ ଚାରି ॥

ବ୍ରଜବାବୁ,

ଆମକୁ ଧିକ୍

ଆମ ରୋଜଗାରକୁ ଧିକ୍

॥ ପାଞ୍ଚ ॥

ତୁମର ‘ସାଗର କୁମାର’

ଓ ‘ଭାଇ-ଭାଇ’

‘ନିଶୀଥ ସୂର୍ଯ୍ୟ’ରେ

‘ରକ୍ତ ଗଡ଼ର ସ୍ଵପ୍ନ’

ଦେଖୁଚନ୍ତି……

କେବଳ ଏତିକି ନୁହେଁ

ସେମାନେ ‘ଛାୟାପଥ’ରେ

‘ଜଗନ୍ନାଥ ପରିକ୍ରମା’ କରି

କେତେ ଯେ……

‘ପ୍ରଗ୍‍ଲଭା ନଦୀର ଉପକଥା’

ଆମକୁ କହିଲେଣି

ସେସବୁ ‘ବିନ୍ଦୁଏ ନିଆଁ’ରେ

ମିଳେଇ ଗଲେଣି…… !!!

॥ ଛଅ ॥

ପୁଣି ତୁମର

‘ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗ’

‘ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦର୍ଶନ’

ଓ ‘ଓଡ଼ିଆ ଭାଷା ବିଜ୍ଞାନ’……

ଏ ସବୁ, ଓଡ଼ିଆ ସାହିତ୍ୟର

ଆଳାପ ଆଲୋଚନାରେ,

ତଥା ବ୍ୟକ୍ତିଗତ

କୁତ୍ସା ନିନ୍ଦାରେ……

‘ତୃଣ ଓ ତିମିର’ ହୋଇ

ରହିଯିବେ ନାହିଁ ତ..… ??

॥ ସାତ ॥

ତୁମର ‘କୁଆଁ ତାରାର କାବ୍ୟ’ରେ

‘ରକ୍ତର ପଳାଶ’ ଅଛି……

ପୁଣି ଅଛି କବ୍ୟିକ ସମୁଦ୍ରର ବୀଚି……

ଏ ସବୁ ସତ୍ତ୍ଵେ ଯେ…..

ତୁମର ଚଲାପଥ

ଶେଷକୁ ‘ଅମ୍ଵାପଲ୍ଲୀ’ରେ

ପହଞ୍ଚିଗଲା…..

ତାହା ଡକ୍ଟର ମାୟାଧର ମାନସିଂଙ୍କୁ ପଚାରିବି…….

ତାଙ୍କଠାରୁ ଜବାବ୍‌ ପାଇଲା ପରେ……

ପୁଣି ତମକୁ……

ଦ୍ଵିତୀୟ ପତ୍ର ଲେଖିବି

ଆଜି ଏତିକିରେ…….

ମୋର ପ୍ରଥମ ପତ୍ର

ଶେଷ କଲି…..

ଓ ପ୍ରଣାମ ସହ ରହିଲି…..

Image

 

ହାତେ ମାପି ଚାଖଣ୍ତକେ ଚାଲ… !!!

 

॥ ଏକ ॥

ଶ୍ରମଜୀବି ବଂଧୁ ମୋର,

ହାତେ ମାପି……

ଚାଖଣ୍ତକେ ଚାଲ

ପରମାଦ ନ ଥିବ ପଛକୁ……

ଭାଳିବାକୁ ବସି କାଳ କାଳ……

॥ ଦୁଇ ॥

ଅବୁଝା ମଣାରେ,

ଯଦି ଭୁଆଁ ହେବୁ……

ଭୁଲି ତୋର ବିବେକର ବଳ……

ମାଧିଆ ଭାଇର ସାଥେ

ଯେ ଯାହା କହିଲେ ତୋତେ

ଯଦି ତୁହି ସେ କଥାର……

ଆଗପଛ ନ ବିଚାରି କିଛି

ହାତ ଟେକି ହଇ ହଇ କରୁ……

ସରିଯିବ ତୋ ଜୀବନ…..

ସୁଖ ଆଉ ସମୃଦ୍ଧି ସମ୍ଵଳ…..

॥ ତିନି ॥

ସବୁକଥା ମାଠି-ମୁଠି

ସବୁକଥା ଛାଟିଛୁଟି

କିଏ ଭଲ, କିଏ ଭେଲ

ମନମୂନେ ଚଇତନେ……

ବିଚାରି……. !!!

କରି ଯା’ ତୋ ଜୀବନର କରମ

ଜୀବନର ଯାହା କିଛି ଧରମ

ପଦେ ପଦେ…….

ସାନ ବଡ଼େ ପଚାରି…… !!!

Image

 

ତୁମେ କ’ଣ ସତେ ଦୁର୍ଗା ଦୁର୍ଗତି ନାଶିନୀ… ???

 

॥ ଏକ ॥

ମୁଁ ଶୁଣିଚି,

ମୋର ହେତୁ ପାଇଲା ଉତ୍ତାରୁ……

ମୁଁ ପଢ଼ିଛି,

ପୁରାଣର ପୃଷ୍ଠା ଲେଉଟାଇ……

ତୁମେ ଦୁର୍ଗା ଖଣ୍ତା ଆଉ ଖର୍ପର ଧାରିଣୀ,

ମୁଁ ଦେଖିଚି ଆମ ବସ୍ତି ଛକ ଠାରୁ,

କଟକର ଅନ୍ୟାନ୍ୟ ବସ୍ତିରେ…..

ଅଛି ଯେତେ କଳି କନ୍ଦି ପୁଣି..…

ତମ ଯାତ ଦଶରା’ର ଭିଡ଼

ତୁମେ ଦୁର୍ଗା ଦୁର୍ନୀତି ଓ ଦୁର୍ଗତି ନାଶିନୀ….. !!!

॥ ଦୁଇ ॥

ସେ ଯୁଗରେ କାହିଁ କେବେ

ବଧିଥିଲ……

ଦୁର୍ନୀତିର ଦାନବ ସେ

ମହିଷା ସୁରକୁ……

ସେଥିଯୋଗୁଁ ନାମ ତୁମେ ବହିଥିଲ

ମହିଷା-ମର୍ଦ୍ଦିନୀ…..

ଏ କଥା ବି ମୁଇଁ ତ ଶୁଣିଚି…..

ଗୋସଁବାପ କାଳୁଁ…

ଆଜି ତୁମେ ଶୁଣ ଦୁର୍ଗା..… !!!

ଦୁର୍ନୀତି ଓ ଦୁର୍ଗତି ନାଶିନୀ…..

॥ ତିନି ॥

କିନ୍ତୁ ମୁଁ କରୁଚି,

ତର୍ଜମା ଏଇଠି…..

ମୋ ବିବେକ ବୁଦ୍ଧିକୁ ଖଟାଇ

ତମେ କହ ଦୁର୍ଗା ମତେ..… ?

ତମେ କ’ଣ ସତେ ଆଜି….. ??

ଦୁର୍ଗତି ଓ ଦୁର୍ନୀତି ନାଶିନୀ…… ???

ସତେ କ’ଣ ତୁମେ ମାତ

ଖଣ୍ତା ଆଉ ଖର୍ପର ଧାରିଣୀ…… ????

 

ଏ ବିଶ୍ଵାସ ତିଳେ ମୋର

ଆସୁନାହିଁ କାହିଁ……

କାହିଁକି ନା ମୁଁ ଦେଖୁଚି,

ଦୁଷ୍ଟ ବିନାଶନ କରି, ସନ୍ଥକୁ ପାଳିବା

ତମଠାରେ ଏ ନୀତିଟା ଆଜି ମୋଟେ ନାହିଁ…… !!!

॥ ଚାରି ॥

ଆଜି ଯିଏ ଏ ସମାଜେ

ବଦମାସ, ଜୁଆଚୋର,

ଦୁର୍ନୀତିରେ ଖେଳୁଅଛି

ଜୀବନର ଜୁଆ……

ସେ ଖାଉଚି

ଆନନ୍ଦରେ, ଆରାମରେ

ବସି ଏଠି, ମାହାଳିଆ

ଧନରତ୍ନ ମୁଆଁ…… !!!

 

ଉପରକୁ ଉପରକୁ ତାହାରି ବଢ଼ତି……

ତା’ ଜୀବନେ ତିଳେ ଆଜି……

ନାହିଁ ତ ଦୁର୍ଗତି……. !!!

॥ ପାଞ୍ଚ ॥

ଯେ କରୁଚି, ଚୋରୀ-ଦାରୀ

ଦିନ ଦିପହରେ……

ଖୋଲା ଠିପି-ବନ୍ଦ ଠିପି,

ଯେ ଖୋଲୁଚି ମଦ ବ୍ୟବସାୟ

ଆଜି ଘରେ ଘରେ……

ସେ ବୋଲାଏ ନ୍ୟାୟପତି

ନ୍ୟାୟର ପଣ୍ତିତ…… !!

 

ସବ୍ ଜାନତା ସଦ୍‍ଗୁଣେ

ହେଉଚି ମଣ୍ତିତ……. !!

॥ ଛଅ ॥

ଆଖି ସାମନାରେ ପୁଣି

ଡାକ୍ ଫୁକାରରେ……

ଡିବି ଡିବି ତା ଦୁର୍ନୀତି

ଡମ୍ଵରୁ ବଜାଇ……

ଯେ କରୁଚି କଳାର ବେପାର ଏଠି…..

କଳାର ବଜାର……

ସେ ଗଣୁଚି…..

ଦୁର୍ନୀତିର ନୋଟ୍ ବିଡ଼ା

ବସି ଏଠି ହଜାର ହଜାର…… !!!

 

॥ ସାତ ॥

ମଣିଷର ଚାଲିବା ରାସ୍ତାଟା

ଯେଉଁଠାରେ ଖାଲଢିପ……

ବର୍ଷାହେଲେ ଅଧା ନଈନାଳ……

ଏ ରାସ୍ତାରେ ପ୍ରସୂତୀଟା

ରିକ୍ସାରେ ବସିଲେ…..

କିଛି ବାଟ ଗଲେ……

ଛାଏଁ ଛାଏଁ ଛୁଆ ଜନ୍ମ

ହୋଇଯିବ ତା’ର….. !!!

ଲୋଡ଼ାନାହିଁ ପ୍ରସୂତୀ ଭବନ ତା’ର

ଧାଈ ଦରକାର……

କହ ଦୁର୍ଗା, କହ ଲୋ ଜନନୀ……

ଆମେ ଏଠି ମଣିଷ ଗୁଡ଼ାକ

କେଡ଼େ ଚମତ୍କାର…… ??

॥ ଆଠ ॥

ଏଠି ଆମେ,

କଣ୍ଟ୍ରାକ୍ଟରୀ ନେଉ,

ରାସ୍ତାଘାଟ ମରାମତି ପାଇଁ

ମରାମତ ହୁଏ ଖାଲି…..

ଉପରେ ଉପରେ……

ପରସେଣ୍ଟେଜ୍‍ ପାଇଁ

ଏତ ଏକ ବିଚିତ୍ର ଘଟଣା

ରାତି ଅଧେ ହୁଏ ଖାଲି

ପାଉଣାର ଯାହା ବୁଝାମଣା…… !!!

॥ ନଅ ॥

ଏହିପରି ଉପର ବର୍ଣ୍ଣିତ……

ଦୁର୍ନୀତି ଓ ଦୁରାଚାର

ମହିଷା ଅସୁର……

ଲଗାଇଚି ନିର୍ଲଜରେ…..

ତା’ ନାଟ ତାମସା…..

ମେଲାଇଚି କପଟରେ

ତା’ର ପଶା ପାଲି…..

ଆମେ ଖାଲି ଜୀବନରେ

ଅଧା ଜୀଇଁ, ଅଧା ମରୁ

ପରିବା ଓ ଚାଉଳର ଦିନୁଁ ଦିନ…..

ଦୁର୍ଗତିର ଦର ଭାଳି ଭାଳି….. !!!

॥ ଦଶ ॥

ଏ ଦୁର୍ନୀତି ତୋର ଖଣ୍ତା

ଖର୍ପର ଧାରରେ……

ତୁହି ଆଜି ନ କାଟିବା ଯାଏ,

ଆମେ ଖାଲି ଦୀର୍ଘଶ୍ଵାସେ

କରି ହାଏ…… ହାଏ…….

ପ୍ରଶ୍ନ ଖାଲି କରୁଥିବୁ

ତୁହି କ’ଣ ସତେ ଦୁର୍ଗା…… ?

ଦୁର୍ଗତି ଓ ଦୁର୍ନୀତି ନାଶିନୀ..… ??

ତୁହି କ’ଣ ସତ୍ୟ ଦେବୀ…… ?

ଅସତ୍ୟର ମହିଷା ମର୍ଦ୍ଦିନୀ….. ???

Image

 

ସାଂପ୍ରତିକ ବାତ୍ୟା ସଂପର୍କରେ… !!!

 

॥ ଏକ ॥

ମୁଁ ବୁଝି ପାରୁନି,

ଭଗବାନ ତୁମେ…

କାହିଁ କେଉଁଠାରେ ଅଛ..… ?

କିଆଁ କହ ତମେ

ପଦେ ପଦେ ଆମ,

ଜନ-ଜୀବନରେ

ମୃତ୍ୟୁ ନାଟକ ରଚ..… ??

॥ ଦୁଇ ॥

ଅଧା ଶୋଷେ ଭୋକେ

ଜୀଇଁ ରହିଥିଲୁ,

ବନ୍ୟା ଦାଉରେ ଭାସି…..

ସୁନା ସଂସାର ଚୁନା କଲା ଆମ

ବନ୍ୟା ମଡ଼କ ରାଶି…..

 

॥ ତିନି ॥

ଆମ ମେରୁହାଡ଼

ବଙ୍କା କରିଲା…..

ବନ୍ୟା କରାଳ ଛାୟା,

ଅଧା ଭୁଲିଥିଲୁ

ଜୀଇଁ ରହିବାର

ସେନେହ ମମତା ମାୟା

॥ ଚାରି ॥

ବାର ବାର କରି,

ନୟନୁଁ ଢାଳିଲୁ

ଅଶ୍ରୁର ପାରାବାର……

ଚଉଦିଗେ ଆମେ,

ଚିତ୍କାର କଲୁ…..

ଏ ଜୀବନ ହାହାକାର…. !!

॥ ପାଞ୍ଚ ॥

ଆଖି ଲୁହ ଆମ

ଆଖିରୁ ଶୁଖିନି…

ପୁଣି ଆଣି ଦେଲ,

ବାତ୍ୟାର ବିତ୍‍ପାତ……

ଭଗବାନ ତୁମେ,

ଏଡ଼େ ଅବିବେକୀ

ହାତରେ ମାଇଲ

ଭାତରେ ମାଇଲ

କିଆଁ କହ ନିର୍ଘାତ…… ??

॥ ଛଅ ॥

ଆମେ ନୋହୁଁ ପାପୀ,

ଆମେ ସଇତାନ୍

ଅଥବା ଖଣ୍ଟ ଦଳ……

ଏଇଆ କରିଲ,

ଭଗବାନ ତୁମେ……

ପ୍ରାଣ ନାଶି ଖାଲି

ନିରୀହ ଜନର

ପାଇଲ କେଉଁ ବା ଫଳ….. ?

କେଉଁ ଯଶବାନା

ଉଡ଼ାଇଲ ଏଥି କହ…… ??

ତମ ଅବିଚାର

ଭୁଲ୍ ବୁଝାମଣା…..

ଭାବି ଭାବି ଖାଲି

ଜୀବନଟା ଆମ

କେବଳ ଦୁର୍ବିସହ..… !!!

॥ ସାତ ॥

ଜୀବନକୁ କରି

ଏଡ଼େ କମନୀୟ

ଭରି ତହିଁ ପୁଣି

ପଦ୍ମ-ସୁରଭି…… !!

ଯେତେକ ସୁବାସ ଛିଟା……

ନ ପ୍ରସରୁ ପୁଣି

ନ ବିତରୁ ତା’ର…..

ଯେତେକ ଜୀବନ ମିଠା……

ଗଛରେ ଚଢ଼ାଇ

ମୂଳ କାଟି ଦେଲ ତା’ର……

ଓପାଡ଼ି ଫୋପାଡ଼ି

ଦୂରେ ପକାଇଲ……

ଏଇ ଜୀବନର……

ଯେତେକ ମୂଲ୍ୟ-ଭାର…… !!

॥ ଆଠ ॥

ମୁଁ ବୁଝି ପାରୁନି,

ଭଗବାନ କହ…

ଯଦି କେହି ଅଛ

ତୁମେ ହିଁ ସାକାର,

ତୁମେ ଅବା ନିରାକାର……

ଏ ଜୀବନେ ଖାଲି

କିଆଁ ତୋଳୁଅଛ

ଝଡ଼-ଝଂଜାର….. ?

ମେଘ ମହ୍ଲାର

ଆଜି ଖାଲି ବାରବାର….. ??

॥ ନଅ ॥

ଜୀବନ ସୂର୍ଯ୍ୟ,

ନ ଉଠୁଣୁ ଏଠି

ଆଶାର ଆକାଶ ବୁକେ…….

ନିରାଶାର ଘନ

କୁଝଝଟିକାକୁ…

ଭରୁଅଛ ଉତ୍‍ସୁକେ…… !!!

ଭଗବାନ ପରା

ତୁମେ ମଙ୍ଗଳମୟ

ଅମଙ୍ଗଳରେ,

କିଆଁ କହ ତୁମେ…… ?

ଏ ଜୀବନେ ଆମ

ଦେଉଅଛ ବରାଭୟ…… ??

॥ ଦଶ ॥

ମଡ଼ା ମାଳ ମାଳ,

ସବୁଠିଁ ତ ଠୁଳ

ଶାଗୁଣା ବିଲୁଆ କାହିଁ…… ?

ଏ ମଡ଼ା ମାଉଁସ

ଖାଇବା ପାଇଁକି

ତାଙ୍କରି ଦେଖାନାହିଁ…

ତେଣୁ ଉଠେ ଖାଲି

ପୂତିର ଗନ୍ଧ……

ଚାରିଆଡ଼େ ଶମଶାନ……

କୁହ ଭଗବାନ

ପଚାରୁଚି ଆଜି

ଏହିକି ତମରି

ସୁନ୍ଦର ଧରା…..

ଚରମ ପରମ ଦାନ….. ??

॥ ଏଗାର ॥

ମାନିବୁନି ଆଉ

ଭଗବାନ ବୋଲି

ଅଛି ଯେ କାହାରି ନାମ……

ଆଉ ମାନିବୁନି

ଦିଅଁ ବା ଦେଉଳ

କେଉଁ ଠାକୁରର ଧାମ

ଆଉ କରିବୁନି ପୂଜା ଅର୍ଚ୍ଚନା,

କେବଳ କରିବୁ ଖାଲି ଭର୍ତ୍ସନା

ଭଗବାନ ହୁଏ,

ସଇତାନ ଏଇ ଦେଶେ…… !!!

 

ମଣିଷ ମାଉଁସ

ଟିକ୍ ଟିକ୍ କରି

ଖାଉଚି ସେ ବସି

କେବଳ ରୁଦ୍ର ବେଶେ !

 

॥ ବାର ॥

ଭଗବାନ ତୁମେ

ହୁଅ ହୁସିଆର

ଆମେଇ ମାତିଲୁ

କଳାପାହାଡ଼ିଆ ଦଳ……

ଧର୍ମ ଧାରଣା ନୀତିର ବିଚାର

ଆମେଇ ଭୁଲିଲୁ ସକଳ ଏଇଠି

ଖାଲି ଦେଖି ଶୁଣି

ପୁଣି ଭୋଗି ଗଲୁ……

ତମରି ଏଇ ଯେ

ଗୁରୁ ଅବିଚାର ଫଳ……

॥ ତେର ॥

ତମଠାରେ ଆଉ ଟିକିଏ ଭକ୍ତି

ଟିକିଏ ମମତା ନାହିଁ……

ଲକ୍ଷ୍ମୀଛଡ଼ାର…..

ଧର୍ମଛଡ଼ାର……

ଭଗବାନ କେହି ନାହିଁ..… !!!

॥ ଚଉଦ ॥

ଆମରି ଆମେ ଯେ

ନିଜେ ଭଗବାନ,

ଆମେ ନିଜେ ଜାଣୁ

ଆମ ସମ୍ମାନ……

ଆମ ଅପମାନ

ତମଠାରେ ଆଉ

ତିଳେ ବିଶ୍ଵାସ ନାହିଁ……

ଭଗବାନ ବୋଲି

ଡାକିବା ଅର୍ଥ

ମୂର୍ଖତା ଛଡ଼ା

ଆଉ ଆମ କିଛି ନାହିଁ…… !!!

Image

 

ପଂଡିତ ନୀଳକଂଠ… !!!

 

॥ ଏକ ॥

ତୁମରି ଏ ମହାପ୍ରୟାଣରେ

ମୋ ଜାତିର..… ମୋ ଦେଶର

ଗୋଟାଏ ମହିମାବନ୍ତ…….

ମାଧୁର୍ଯ୍ୟବନ୍ତ ଓ ଶୌର୍ଯ୍ୟବନ୍ତ

ଚଳନ୍ତି ସଂସ୍କୃତି……

ଚିରଦିନ ପାଇଁ ଲୋପ ପାଇଗଲା……

॥ ଦୁଇ ॥

ତମେ କେବଳ

ଏକ ବ୍ୟକ୍ତି ବିଶେଷ

ନୀଳକଂଠ ଦାସ ନ ଥିଲ……

ତମେ ଥିଲ……

ଏକ ମହାନ୍ ଜାତୀୟ ଅନୁଷ୍ଠାନ……

ତୁମେ ଏ ଦେଶକୁ……ଏ ଜାତିକୁ

ଜାତୀୟତା ରସରେ…..

ରସାଣିତ କରି

ଯେଉଁ ମହାନ୍ ଜାତୀୟତାର…..

ନନ୍ଦୀଘୋଷର ନିର୍ଘୋଷ…..

ଏଠାରେ..… !!

ତୁମ ଜୀବଦ୍ଦଶାରେ..…

ଶୁଣାଇଗଲ…..

ତାହା ଯୁଗ ଯୁଗ ଲାଗି ଅବିସ୍ମର…..

॥ ତିନି ॥

ସତ୍ୟବାଦୀର ବକୁଳ ବନ

ଆଉ ତା’ର ବକୁଳ ବିଥି

ତମ ସମଗ୍ର ଜୀବନର ଗୀତି ଓ ନୀତିର

ପରିସ୍ଫୁଟନରେ……

ଯେଉଁ ସାହିତ୍ୟ ତଥା ସଂସ୍କୃତିର ରୀତି

ବୟାନ କରିଗଲା……

ତାହା ଏ ସାହିତ୍ୟରେ

ଅପରିସୀମ ଓ ଅମଳିନ..… !!!

 

ଯେହେତୁ ପଞ୍ଚସଖାର ପଞ୍ଚଶିଖା

କେବେ ହୁଅଇ କି….. ?

ନିଷ୍ପ୍ରଭ ଓ କ୍ଷୀଣ…… ??

ତାହା ଯେତିକି ସତେଜ

ସେତିକି ସବୁଜ…..

ସେତିକି ଜାଜୁଲ୍ୟମାନ……

॥ଚାରି॥

ତେଣୁ ହେ ଜାତିସ୍ମର……

ପୂଜ୍ୟ ପ୍ରାଣ……

ମହାନ…ମହାନ……

ମୋର..… ମୋ ଜାତିର

ମୋ ଜାତୀୟତାର

ଭକ୍ତି ଅର୍ଘ୍ୟର ଘେନାକର

ଶତତ ପ୍ରଣାମ…… !!!

Image

 

ଯିଏ ଯାହା ଚାହେଁ… !!!

 

॥ ଏକ ॥

ଯିଏ ଯାହା ଚାହେଁ କ’ଣ…… ?

ସିଏ ତାହା ପାଏ…… ??

ସେଥିପାଇଁ ଏ ନିରାଶା

ଏଇ ବ୍ୟର୍ଥତାରେ……

ଏ ଜୀବନ କରେ ହାଏ ହାଏ…… !!!

Image

 

ଦ୍ଵନ୍ଦ୍ଵ… !!!

 

॥ ଏକ ॥

ଏକପଟେ ଲକ୍ଷ୍ମୀ ଟାଣେ

ଆରପଟେ ଟାଣେ ସରସ୍ଵତୀ……

ଏ ଦୁଇର ଟଣା ଓଟରାରେ

ଜୀବନରେ ତିଳେ ଆଜି…..

ନ ମିଳେ ମୁକତି…… !!!

॥ ଦୁଇ ॥

ଏ ପଟକୁ ଯିବି କିବା

ସେ ପଟକୁ ଯିବି……

ପାରୁନିତ କରି କିଛି ସ୍ଥିର……

ଭାବି ଭାବି ଏଇ କଥା

ଜୀବନର ବହୁ ରାତ୍ରି,

ହେଲାଣି ଗଭୀର……

ରାତି ଶେଷେ ସକାଳ ବି ହୁଏ

ସେଇ ଚିନ୍ତା ଘାରେ ଅହରହ,

ଜୀବନର ଏ ଚଲା ପଥରେ

କେଉଁ ପଟେ ଆଉ ଯିବି କହ…… ??

 

ଆଜିର ଓଡ଼ିଆ ସାହିତ୍ୟ… !!!

 

॥ ଏକ ॥

ଆଜିର ଓଡ଼ିଆ ଲେଖକ

ଦେଖୁଛି ଲେଖୁଛି ଯାହା……

ବର୍ଣ୍ଣନା କରି କହିଲେ ତାହା

କହିବି ଭାଇ…… !!!

 

ସାରଳା ଯୁଗର ପୁରାଣ ନାହିଁ

ବୈଷ୍ଣବ ଯୁଗ ବିଭୂତି ନାହିଁ

ଭଂଜ ଯୁଗର ଗଜଦନ୍ତର ମୀନାର ନାହିଁ

ଆଜିର ଓଡ଼ିଆ ଲେଖକ ଲେଖାରେ

ଛୁଟିଛି ଖାଲି…..

ଦୀର୍ଘଶ୍ଵାସର ଦଳେଇ ଘାଇ…..

॥ ଦୁଇ ॥

ରାଧାନାଥ ଯୁଗ ପ୍ରକୃତି ପ୍ରେମ

ଯାଇଛି ଚାଲି……

ସତ୍ୟବାଦୀର ନିଛକ ଓଡ଼ିଆ,

ଜାତୀୟତା ବୋଧ……

ଆମ ପାଖେ ଆଜି ଶୁଷ୍କ ଖାଲି……

ଅର୍ଥ ନୀତିର ଘାତ ପ୍ରତିଘାତେ…

ଆଜିର ଓଡ଼ିଆ ଲେଖକ ଦେଖୁଛି

ଝଡ଼ ଝଂଜାର ସାହାରା ବାଲି……

ସବୁଜବାଦୀର, ସ୍ଵପ୍ନବାଦୀର

ମରୀଚିକା ଆଜି ନାହିଁରେ ନାହିଁ…… !!!

 

ଆଜିର ଓଡ଼ିଆ ଲେଖକ ଦେଖୁଛି

ଚନ୍ଦ୍ର ବୁକୁରେ ରୁଟୀର ଛାଇ……

॥ ତିନି ॥

ଆଜିର କବି,

ଯେତେବେଳେ ଦେଖେ,

ନିର୍ଜନ ପଥେ, ..…ପ୍ରେୟସୀ ସାଥେ

ଆକାଶ ବୁକୁରେ ମୁଗ୍ଧ ଛବି……..

ସଞ୍ଚରେ ଯେବେ ବୁକୁତଳେ ତା’ର

ପ୍ରେମର କଥା…….

ସେତିକିବେଳେ……

ମାତି ଉଠେ ତା’ର ବଥର ବ୍ୟଥା……

॥ ଚାରି ॥

ଆଜିର ଓଡ଼ିଆ ଲେଖକ

ଲେଖାରେ ପାଉଛି ସ୍ଥାନ……

ମାନବପ୍ରାଣର ମାନବବାଦୀର

ମହତ ଗାନ……

ବିଶ୍ଵବାଦର ଅତୁଳ ତୁର୍ଯ୍ୟ

ସାମ୍ୟବାଦର ଚଳନ ସୂର୍ଯ୍ୟ…….

ତାହାରି କଲମ ମୂନରେ ଠିଆ……

କୋଟି କଂକାଳ ଶମଶାନ ମଡ଼ା

କୁଢ଼ କୁଢ଼ ଯହିଁ ହେଉଛି ଠୁଳ

ନିତି ଏ ଜୀବନେ……,

ଯେଉଁଠି ଝଡ଼ଇ ଜୀବନ ଫୁଲ

ଛିନ୍ ଭିନ୍ କରି…….

ବିଦରେ ଆଜିର ଲେଖକ ହିଆ…… !!!

Image

 

ଆରେ ଅବିନୀତ ଜାତି… !!!

 

॥ ଏକ ॥

ଆରେ ଅବିନୀତ ଜାତି……

ଆଜି ଏ ଦୁଃଖ ଦୁର୍ଦ୍ଦିନେ ତୋର

ପୁଲକି ଉଠୁନି ଛାତି….. ?

ଅନ୍ତର କରି ତୋର ଉଦବେଳ

ନାଚେନି କି ତୋର ପ୍ରାଣ….. !!!

ମନେ ପଡ଼େନି କି ରଣତାଣ୍ତବ

ଦୁର୍ବାର ଅଭିଯାନ ??

॥ ଦୁଇ ॥

ମନେ ପଡ଼େନି କି ସମର ଶଂଖ

ସେ କାଳ ଯୁଗର କଥା……

ଉଲ୍ଲାସ ପ୍ରାଣେ ପାଇକ ପୁଅ ତୁ

ଉଚ୍ଚେ ଉଠାଅ ମଥା……

ଜୀବନ ମନ୍ତ୍ର ଶପଥ ନେଇ ତୁ

ଚଳା ଆଜି ଥରେ ଅସୀ……

ଗାଇ ଉଠୁ ଏଇ ଗଗନ ପବନ

ହସି ଉଠୁ ଆଜି ଶଶୀ…..

ଆରେ ଅବିନୀତ ଜାତି….. !!

ଆଜି ଏ ଦୁଃଖ ଦୁର୍ଦ୍ଦିନେ ତୋର

ପୁଲକି ଉଠୁନି ଛାତି..… ??

॥ ତିନି ॥

ଆଗାମୀ ଯୁଗର ସୈନିକ ତୁମେ

ନୂଆ ଧରଣୀର କବି……

ଡାକି ଦିଏ ଆଜି ଦିଗ୍‍ବଳୟର

କୋଟି କଂକାଳ ଛବି…..

ଏ ମଡ଼ା ମାଟିର ମୁର୍ଦ୍ଦାର ଡାକେ

ଡାକେ ତା ପାଉଁଶ ନିଆଁ……

ଏ ମର ଦେଶର ଅମର ଶିଶୁ ତୁ

ସୁପ୍ତ ରହିଛ କିଆଁ…… ??

ଜାଗ ତୁରେ ଆଜି ଜାଗ……

କିବା କଳବଳେ, କିବା କଉଶଳେ

ଦାବି ତୁରେ ଆଜି ମାଗ……...

॥ ଚାରି ॥

ଯେଉଁଠାରେ ଶୁଖେ ମାତାର ସ୍ତନ୍ୟ

ନୟନୁଁ ବୁହଇ ନୀର……

ଭୋକ ଯେ ମାଟିରେ, ଆମରି ସାଥୀରେ

ବଂଧୁ ସୋଦର ଚିର……

ଆରେ ଦୁର୍ମଦ ଜାତି……

ଆଜି ଏ ଦୁଃଖ ଦୁର୍ଦ୍ଦିନେ ତୋର

ପୁଲକି ଉଠୁନି ଛାତି…… ??

Image

 

ନବ ବର୍ଷର କବିତା… !!!

 

॥ ଏକ ॥

ମୋ ଦେଶର ଯେତେ

ପଚି, ସଢ଼ି ପୁଣି

କବି ବୋଲାଉଛ…….

କବିତା ଲେଖୁଛ

ଦେଶର ବୁକେ,

ଦେଶର ହିତେ…

ତମ ପାଇଁ ଯାହା

କରିଛି ଚିତ୍ତେ…

ଲେଖୁଛି ଗୀତେ

ନବ ବର୍ଷର କବିତା ଏକ……

ପଢ଼ିବ କି ନାହିଁ ଜାଣେନି ତାହା

ଆଶାରେ…ଆଶାରେ ଆସୁଛି ରାହା ।

କେବଳ ଆହା…… !!!

॥ ଦୁଇ ॥

ଯେଉଁ ଦେଶ ପାଇଁ

କବିତା ଲେଖିଲ

ଯାହାର ପାଇଁ

ପଚାର ଭାଇ……

ତମକୁ ସିଏ କି ପଚାରୁଛି ଆଜି

ଥରିଏ ହେଲେ……

ଭଲ ବା ଭେଲେ……. ??

॥ ତିନି ॥

ଏଇ ପ୍ରଶ୍ନଟି…..

ମନରେ ଆସିଲା ମୋର

ସେଥିଲାଗି ଭାଇ ତମରି ହାତରେ

ଉପହାର ବାଢ଼ି ଦେଲି…….

ପରେ ଦେଖା ହେଲେ

ଆହୁରି କହିବି କିଛି

ଆଜି ଏତିକିରେ…….

ଭାଇ ମୁଁ ବିଦାୟ ନେଲି……

Image

 

ବିଶ୍ଵନାଥ ଶତପଥି… !!!

 

॥ ଏକ ॥

ଶୁଣ ତୁମେ ପ୍ରିୟବଂଧୁ

ବିଶ୍ଵନାଥ ଶତପଥି

ଏ ଜୀବନେ ବେଳେ ବେଳେ

ମିଳୁଛି ଔଷଧ

କିନ୍ତୁ ଭାଇ ମିଳୁନାହିଁ ପଥି…… !!!

॥ ଦୁଇ ॥

ଏ ଜୀବନ ଛାତିଟା ମୋ

ତୁମପରି ସବୁବେଳେ ଝିମି ଝିମି ହୁଏ

ଆଖିରେ ମୋ ଅଜସ୍ର ଅଳସ…….

ମୁଣ୍ତଟା ମୋ ଅହରହ ବୁଲାଉଛି ଖାଲି……

ବ୍ୟସ୍ତ ଆଉ ଉଦ୍‍ବିଗ୍ନରେ ଭରା……

ଏ ଜୀବନ ଜଂଜାଳ ପରଶ….. !!!

॥ ତିନି ॥

ରାତିଅଧେ ଆମେ ଲୋଡ଼ୁ

ଟ୍ରାନ୍‍କ୍ୟୁଲାଇଜର……

ଡାକ୍ତର କହନ୍ତି ଖାଲି

ଏଇଟା ତ ବ୍ୟାଧି ନୁହେଁ……

ଦେହଜର…… !!!

ଅବା କିଛି କ୍ଷୟ…

ଅତ୍ୟଧିକ ପରିଶ୍ରମ ହେତୁ

ମାନସିକ ମନଜ ଅଥୟ…

ୟା’କୁ ତୁମେ କର ଥୟ

ବୃଥା ଚିନ୍ତା, ବୃଥା ପ୍ରଳାପରେ

କର ନାହିଁ ଶକ୍ତି ତୁମ କ୍ଷୟ……. !!!

॥ ଚାରି ॥

କୁହ ବଂଧୁ, କୁହ ତୁମେ……

ଟ୍ରାନକ୍ୟୁଲାଇଜର

ଲାର୍ ଗାଟାଇଲ

ସବୁଦିନେ ଖାଇ ଖାଇ

କେତେଦିନ କହ ଆମେ

କଟାଇବା ଏ ଜୀବନ

ଭବିଷ୍ୟତ କାଳ…… ??

ପରୀକ୍ଷାର୍ଥୀ ପରି ଖାଲି……

ମେଡ଼ିସିନ୍ ମୁଖସ୍ଥର

ଗୀତ ଗାଇ ଗାଇ……

କରି ତାକୁ ପୁଣି ଜପାମାଳ…… ???

॥ ପାଞ୍ଚ ॥

ବର୍ତ୍ତମାନ ଜୀବନଟା

ଯା’ର ଏଡ଼େ କରୁଣ ବିଳାପ……

କୁହ ବଂଧୁ…… କୁହ ଆଜି

ପଚାରୁଛି ବାର ବାର…….

ନୟନୁଁ ଝରାଇ ଖାଲି

ଲୁହ ଧାର…… ଧାର…….

ଭବିଷ୍ୟତ ଜୀବନଟା ନୁହେଁ କିବା

ଆମରି ଯେ କେବଳ ପ୍ରଳାପ…… !!!

Image

 

ହେ ସାଥୀ ପରମ… !!!

 

॥ ଏକ ॥

ହେ ବଂଧୁ…… !

ହେ ସଖା…… !!

ହେ ସାଥୀ ପରମ…… !!!

ସତ କରି କହ ଥରେ,

ମୋ ଚିତ୍ତେ କି,

ତୁମେ ଆଜି ଆଣିନ ଭରମ…… ??

॥ ଦୁଇ ॥

ମନେପଡ଼େ ସେ ଦିନର

ଅପାଶୋର ରାତି,

ଜୀବନର ଇତିହାସ

ଚର୍ଚ୍ଚାରେ କେବଳ…

ଦୁହେଁ ଆମେ ଉଠିଥିଲେ ମାତି ।

ତୁମେଇ ତ ଥିଲ ତା’ର

ଏକମାତ୍ର ସାକ୍ଷୀ

କିଛି ନାହିଁ ବାକି….…

॥ ତିନି ॥

ହୃଦ ଖୋଲି ଗୋଟି ଗୋଟି

କହିଅଛି ସବୁ…

ଜୀବନର ତିକ୍ତ ଅନୁଭବୁଁ..…

ରହିବକି ଏ ବଂଧୁର……

ସ୍ମୃତି ଚିରଦିନ…… ?

ତବ ହୃଦପଟେ ତାହା

ନ ହୋଇ ମଳିନ……. ??

॥ ଚାରି ॥

ପୁଣି ପ୍ରଶ୍ନ, ପୁଣି ଥରେ

କହ ସତ କରି….… ?

ସତେ କିବା ଦୁହେଁ ଆମେ,

ଜୀବନକୁ ଜୀବନଟା ପରି

ପାରିବାନି ଧରି……. ???

 

ଶ୍ରଦ୍ଧାକୁ… !!!

ଶ୍ରଦ୍ଧା…… !!

ଜୀବନେ ପତର ହେଲେ

ପବନେ ଉଡ଼ିବ……

ଜୀବନର ସବୁ ସୁଖ

ଭେଳା ହିଁ ବୁଡ଼ିବ…… !!

ତେଣୁ କହେ……

ପଥର ହୋଇବ ପୁଣି

ହୋଇବ ଜବର……

ତେବେ ଯାଇଁ,

ଜୀବନୁଁ ଲିଭିବ ତୁମ

ଦୁଃଖର ଖବର……

Image

 

ଜୀବନ ଉଷା… !!!

 

॥ ଏକ ॥

ହେ ଜୀବନ ଉଷା ମୋର,

ଆଜି ଏଇ ଜୀବନରେ

ପ୍ରଦୋଷର ବେଳା……

ଶଶୀ ତାରକିତ,

ରଜନୀ ମୋର ତୁ,

ସଜନୀ ମୋର……

ତୋତେ ପୁଣି ଆଜି

କରି ନ ପାରିଲି

ଜୀବନ ଖେଳା…… !!!

॥ ଦୁଇ ॥

କହି ପାରୁ ତୁହି ଏ ଅବହେଳା

ନୁହେଁ ଆ’ରେ ସଖୀ…… !!

ଜୀବନ ରକ୍ଷୀ…….

ଜାଣିରଖ ଏବେ ଜାଣିରଖ,

ଆଜିର ଜୀବନ

ନଈରେ ଭାସୁଛି

ଘର ଆଦରଶ…… ପୂର୍ବ ଇତିହ

ଘରର ଭେଳା…… !!!

Image

 

ଶୁଣ ଯେତେ ଅଛ… !!!

 

॥ ଏକ ॥

ଶୁଣ ଯେତେ ଅଛ

ପ୍ରିୟ-ପରିଜନ

ବାପା ମା’ ଆଉ

ଶଶୁର ଶଳା……

କିପରି ଯାତନା

ଭୋଗୁଛି ଜୀବନେ……

କରି ନ ପାରି ମୁଁ

ଧଳାକୁ କଳା

କଳାକୁ ଧଳା…… !!!

॥ ଦୁଇ ॥

ଜୀବନ ପଥରେ…

ଚାଲୁଁ ଚାଲୁଁ ଆଜି

କେତେ ଯେ କହିଲେ

ହାତୀ ଦେବି ତୋତେ

ଘୋଡ଼ା ଦେବି ତୋତେ

ଯାହା ମୁଁ କହିବି,

ମୋ ପେଁକାଳି ବଜେଇ ଦେ….…

ଯାହା ତୁ ଚାହିଁବୁ

ମନ ଇଛା ତୋର ନେ’ରେ ନେ….… !!!

॥ ତିନି ॥

ସେ ପଥରେ ଆଜି ପଥିକ ହେଲି ନି

ହୋଇ ପାରିଲି ନି ତୋଷାମଦୀ ପ୍ରିୟ

ଚଟୁଳ ଚାଟୁର ମୁଗ୍‌ଧ ଜନ…….

ମୁହାଁସ ନ ରଖି ମୁହାଁମୁହିଁ ଖାଲି

ପ୍ରତିବାଦ କଲି……

ଜଣା ବା ଅଜଣା

ପ୍ରିୟ ଅପ୍ରିୟ ବଂଧୁଜନ……

॥ ଚାରି ॥

ସେଇଥି ପାଇଁକି

ପାଲଟିଛି ମୁହିଁ

ପାଜି, ଦୁର୍ମୁଖ

ଶଳା, ସଇତାନ

ସବୁରି ପାଶେ……

ମୋହରି ଆଜି ଏ ଜୀବନ ରାସେ…… !!!

॥ ପାଞ୍ଚ ॥

ତଥାପି ବଂଧୁ କହୁଛି ଆଜି ମୁଁ

ବଜ୍ର ସୁରେ……..

ଶୁଣେ ପଛେ ଖାଲି ପାଜି ଦୁର୍ମୁଖ…….

ଶଳା-ସଇତାନ,

ନିନ୍ଦାର ଯେତେ ପରମ ଗାନ,……

କ୍ଷାନ୍ତ ହେବନି, କ୍ଳାନ୍ତ ହେବନି

ଜୀବନର ଆଜି ଏ ଅଭିଯାନ……

ସତ୍ୟ ନ୍ୟାୟର ପୂଜାରୀ ହୋଇ ମୁଁ,

ଅସତ ଅନୀତି ଗୋଛି କାଟି ତା’ର

କରିବି ସଫା……

ଜୀବନର ଏ ମୋ ଶୋଣିତ ସାଥିର

ସ୍ଵାକ୍ଷର ଆଉ ଶପଥ ପାଠ,

ଏଇ ମୋ ଜୀବନ ଦଲିଲରେ ଭାଇ

ଶାଣିତ ଦଫା…… !!!

Image

 

ମୁକ୍ତି… !!!

 

॥ ଏକ ॥

ଆରେ ଦୁଃଶାସନ…… !!!

ଏଇ ଶୁଣ ଶୁଭେ ଆଜି

ଚଉଦିଗେ……

ଭୀମର ଗର୍ଜନ……

ଜୀବନର ମାନବିକ ଜୟଗାନେ

ଆଲୋକ……. ପ୍ରଭାତୀ……

କଂଠେ କଂଠେ ସ୍ଵାଗତ ଆରତୀ……..

ମାଂଗଳିକ ନୂତନ ଉତ୍ସବ…….

ଏ ତୁମରି ପ୍ରାଣେ ଆଜି

କର ଅନୁଭବ…….

॥ ଦୁଇ ॥

ଦସ୍ୟୁ ଦଲାଲ ତୁମେ…….

ହୀନ ପଳାତକ

ଭାବୁଛୁ କି ପିନ୍ଧି ତୁହି

ଶୃଗାଳର ଖୋଳେ ଆଜି

ବ୍ୟାଘ୍ରର ପୋଷାକ…….

କରିବୁ ଜାହିର୍ ଆଜି

ମନଗଢ଼ା ତୋର ଯେତେ ନୀତି……

ଶୁଣ ବଂଧୁ, ଧୀରେ ତୁମେ

ସେ ଯୁଗତତାସ୍‍ର ପ୍ରାସାଦ ସମ

ମାନବିକ ଝଡ଼ ତାଳେ,

ହୋଇଅଛି ଇତି…… !!!

॥ ତିନି ॥

ରହ ରହ ଦଣ୍ତେ ରହ

ଆରେ ଦୁଃଶାସନ…….

ମାନବିକ ମୁକ୍ତିର ଏ

ନବ ଇସ୍ତାହାର……

ତା’ରେ ଆଜି

ମନ ମୂନ ଚଇତନେ

କର ଅନୁମାନ…..… !!!

॥ ଚାରି ॥

ମନେ ଅଛି……

ଦିନେ ତୁମେ ଧରିଥିଲ

ପାଞ୍ଚାଳୀର କେଶ……

ସେ ଅନୀତି, ସେ ଅନ୍ୟାୟ

ଭୁଲି ନାହିଁ ଆଜି ଏଇ ଦେଶ……

ତେଣୁ ତୁମେ……

ସେ ବେଳର ଦୁଃଶାସନ

ଯେତେ ଆଜି ଏ ସମାଜେ

ସାଜିଅଛ ନବ କଳେବର

ଭାବନାହିଁ ତୁମେ ଯେ

ଅଚିହ୍ନା ଆଜି……

ଆମ ପାଖେ ଅଛପା ଯେ,

ତୁମରି ଖବର……

॥ ପାଞ୍ଚ ॥

ତେଣୁ ବଂଧୁ ହୁଅ ହୁସିଆର

ସଜ ହୁଅ ଘେନିବାକୁ……

ତୁମ ପାପ ପ୍ରାୟଶ୍ଚିତ ଫଳ……

ହାଡ଼ ଗୋଡ଼ ଚୂନା କରି

ତୁମକୁ ଯେ କରିବୁ ନିଃଶେଷ……

ତେବେ ଯାଇଁ ହେବ ଏ ସୁନ୍ଦର ଧରା…..

ଏ ଧରାର ନବ ପରିବେଶ…… !!!

Image

 

ପେଣ୍ତୁ ଖେଳ… !!!

 

॥ ଏକ ॥

ସେମାନେ ସମସ୍ତେ

ସେ ଦିନ ପେଣ୍ତୁ ଖେଳ ଦେଖିଗଲେ,

ମୋତେ ଡାକିଲେ……

ପେଣ୍ତୁ ଖେଳ ଦେଖି ଯିବାକୁ,

ମୁଁ କିନ୍ତୁ ତାଙ୍କୁ ମୋ ଯିବାର

ଅକ୍ଷମତା ପ୍ରକାଶ କଲି…… !!!

ଏବଂ କହିଲି……

ହେ ମୋର ସୁଖ ଦୁଃଖର

ବଂଧୁମାନେ…… !!

॥ ଦୁଇ ॥

ମୋ ଜୀବନ ପେଣ୍ତୁ ଖେଳରେ,

ମୁଁ ନିରାଶା ଓ ବ୍ୟର୍ଥତାର

ଏତେ ଗୋଲ ଖାଇଲିଣି ଯେ……

ମୋ ଜୀବନ ଆଶାର “ନେଟ”ଗୁଡ଼ାକ

ଖଣ୍ତିଆ ଖାବଡ଼ା ହୋଇଗଲାଣି……

ଭରସାର “ବାର”ଗୁଡ଼ାକ ଦୋହଲି ଗଲାଣି……

॥ ତିନି ॥

ଆଉ ତମ ସାଙ୍ଗରେ ଯାଇ,

ପୁଣି ପେଣ୍ତୁ ଖେଳ ଦେଖିଲେ……

ମୋ ଜୀବନ ପେଣ୍ତୁ ଖେଳର

କଥା ମନେ ପଡ଼ିବ…… !!!

ସେଇଥିପାଇଁ ତମ ସାଙ୍ଗରେ

ଯିବାକୁ ମନା କଲି……

କାହିଁକି ନା……

ଏ ଜୀବନ ପେଣ୍ତୁ

ସୁଖ ଆଉ ସ୍ଵାଚ୍ଛନ୍ଦ୍ୟ,

ଆନନ୍ଦ ଓ କୋଳାହଳର,

ସେଣ୍ଟର ଲାଇନ…….

‘ଟଚ’ କରି ପାରିଲା ନାହିଁ….… !!!

Image

 

ହେ ମୋର ବସ୍ତିବାଲା… !!!

 

॥ ଏକ ॥

ହେ ମୋର ବସ୍ତିବାଲା,

ଅବୁଝାମଣାରେ-

କେତେ ଯେ ମାରିଛ

ବିଧା ଓ ଗୋଇଠା……

କେତେ ଯେ ବକିଛ

ବେଇମାନ ପୁଣି

କେତେ ଯେ ବକିଚ ସାଲା

ହେ ମୋର ବସ୍ତିବାଲା…… !!!

॥ ଦୁଇ ॥

ଛାତିକି କରିଲି

ପଥର ମୁଁ ଭାଇ,

ଆଖିକୁ କରିଲି ଲୁହା……

ଏଇ ମୋ ବୁକୁରେ

ହସି ହସି ଭାଇ

ସାଇତି ରଖିଲି…..

ତମରି ଏଇ ଯେ

ମାଡ଼-ଫଉଦାରୀ

ଗାଳି ଗୁଲଜର

ମଧୁର ବିଧୁର ଦୁହା..… !

॥ ତିନି ॥

ତମରି ପାଇଁ କି

ଯାତନାକୁ କଲି

ହସର ସାଗର

ନିନ୍ଦାକୁ କଲି

ଜୀବନ ପୂଣ୍ୟ ଗାନ…….

ଜୀବନରେ ଯେତେ କ୍ଷତ ବିକ୍ଷତ

ମାନ ସଂଭ୍ରମ ମାନ…….

ଜୀବନରେ ତାକୁ

ଗ୍ରହଣ କଲି ମୁଁ

ଜୀବନ ଶ୍ରେଷ୍ଠ ଦାନ……. !!!

॥ ଚାରି ॥

ଏଇମିତି ଏକ ଜୀବନ ଧରି ମୁଁ

ପଡ଼ିଛି ଏଇଠି ଭାଇ……

କେତେ ବ୍ୟର୍ଥତା କେତେ ଯେ ବିଳାପ

ଦୁଃଖ, ଦୀନତା, ଦୀର୍ଘଶ୍ଵାସର ହାଇ……

ମାରିଛି ତୁହାଇ ତୁହାଇ ମୁଁ ପୁଣି

ନିଶା ନିର୍ଜନେ ବସି……

ପାଗଳ ପ୍ରଳାପ କଲା ଭଳି ଖାଲି

ପେଟ ଫଟା ହସ ହସି…… !!!

 

ନିନ୍ଦାର ମାଳ ଗଳେ ଲମ୍ଵାଇ

ନିସଂକୋଚେ ମୋ……

ଜୀବନ ଯାତ୍ରା……

ଚାଲିଅଛି ଅବିରଳ……

କୁହ ହେ ବଂଧୁ, କୁହ ହେ ସୋଦର

ହେ ମୋର ବସ୍ତିବାଲା…… !!!

 

ଏହିକି ମୋହରି ତମ ଦୁର୍ଦ୍ଦିନେ…

ତମ ହତାଶାରେ…… ତମ ନିରାଶାରେ

ଅଶ୍ରୁ ଢାଳିବା ଫଳ…….. ??

॥ ଛଅ ॥

ଏ ପଟେ ମାରିଲେ,

ଜୁତାମାଡ଼ ମୋତେ,

କୁଣ୍ଠା ମୋ ତିଳେ ନାହିଁ……

ଆରପଟେ କେତେ

ଫୁଲମାଳ ଥୁଆ…….

ଦଣ୍ତେ ନିରେଖ ହେ ମୋର ବସ୍ତିଭାଇ……

॥ ସାତ ॥

ବସ୍ତି ପିଲାକୁ ସମ୍ମାନ ଦେବା

ତମ ଜାତକରେ କାହିଁ…… ?

ବସ୍ତି ପିଲାର ଗୁଣ ଗାରିମାରେ

ଅନ୍ତର ତୁମ ଉଦବେଳ

ହୁଏ ନାହିଁ……… !!!

 

ଏହିକି ତମରି

ବୁଝାମଣା ଭାଇ……

ବୁଝି ମୁଁ ଅବୁଝା ଖାଲି……

ଜୀବନରେ ଆଜି ଉଏସିସ୍ କାହିଁ…… ??

ଜୀବନଟା କ’ଣ ମୋହରି ସାହାରା ବାଲି ???

॥ ଆଠ ॥

ତଥାପି…ତଥାପି ଦୃପ୍ତ ସୁରେ ମୁଁ

କରୁଅଛି ନିର୍ଘୋଷ……

ବଞ୍ଚିନାହିଁ ମୁଁ ତମରି ଦାନରେ

ତମରି ଦୟାରେ……

ତମ ସନ୍ତୋଷ ଅଥବା ତୁମରି ରୋଷ……

ବଞ୍ଚିଅଛି ମୁଁ ବଞ୍ଚିବି ଖାଲି

ନିଜ କାର୍ଯ୍ୟରେ…….. ନିଜ କରଣୀରେ

ଜୀବନ ଯାତ୍ରା ବାହି……..

ଆଜି ବି ବିଚାର ତମରି ନିନ୍ଦା,

ତମ ଅପମାନ……… କେଡ଼ିକି ତୁଚ୍ଛ,

ହେ ମୋର ବସ୍ତିଭାଇ !!!

 

* ଜଣେ ଅନ୍ତରଂଗ ବଂଧୁର ମର୍ମନ୍ତୁଦ କାହାଣୀ ଶୁଣିଲା ପରେ !!!

Image

 

ବଞ୍ଚିବାଟା… !!!

 

॥ ଏକ ॥

ବଞ୍ଚିବାଟା କେବଳ ହିଁ

ଖାଲି ମୁଣ୍ତ ବ୍ୟଥା…….

ମରିବାଟା କହ ସତେ…..… ?

କେଡ଼ିକି ଆରାମ……..

ଲୋଡ଼ାନାହିଁ ଏ ଜୀବନେ

ବଞ୍ଚିରହି, ଜପିବାଟା……

ଦିନରାତି……ରାଧାକୃଷ୍ଣ

ଅବା ସୀତାରାମ…… !!!

ଅବା ଖାଲି ଚଣ୍ତୀପାଠ

ଘୃତ ଅର୍ଘ୍ୟ ପୁଷ୍ପର ଆରତି

ବ୍ୟକ୍ତିଗତ ସ୍ଵାର୍ଥଲାଗି

ଚରମ ଭାରତୀ…….. !!!

॥ ଦୁଇ ॥

ବଞ୍ଚିରହି ଏ ଜୀବନେ

କେତେଦିନ କହ ଆଉ

ଖେଳୁଥିବା ଛକାପନ୍‍ଝା

ଲୁଚୁକାଳି ଖେଳ…… ??

କେତେଦିନ ପଡ଼ିଥିବା……

ପଚିସଢ଼ି……..

ଦୁଃଖ ଆଉ ଦୀନତାରେ

ଏ ମଣିଷ……ସ୍ଵାର୍ଥବାଦୀ ମେଳ……..

॥ ତିନି ॥

ସବୁ ସୁଖ ସବୁ ଶାନ୍ତି

ଏକମାତ୍ର ସ୍ଥଳ……..

ସକଳ ଯାତନା ମୂଳ

ହେବା ପାଇଁ ଇତି……. !!!

ତେଣୁ କହେ……..

ମରଣରେ ସେ ସବୁର

ନିଷ୍କୃତି ନିଷ୍ପତ୍ତି……

Image